ଜହ୍ନ ମାମୁଁ ତୁମେ ସୌରମଣ୍ଡଳରେ
ପୃଥିବୀର ଉପଗ୍ରହ,
ଧରିତ୍ରୀ ମାତାର ଭ୍ରାତା ବୋଲି କିମ୍ପା
ଥରେ ନ କହୁଛ କୁହ !
ଜହ୍ନ ମାମୁଁ ତୁମେ ସରଗର ଚାନ୍ଦ
ମାଆ ଡାକେ ବାରମ୍ବାର,
ମୋ’ ପୁଅ ହାତରେ ଖସି ପଡ଼ିବାର
ବ୍ୟାକୁଳ ହୁଏ ବେକାର !
ଜହ୍ନ ମାମୁଁ ତୁମେ ରଜପରବରେ
ଭାର କିମ୍ପା ନ ଆଣୁଛ ?
କୁଆଁର ପୂନେଇଁ ଗୀତରେ ମୋହିତ
ଖିଲି ଖିଲି ହସୁଅଛ !
ଜହ୍ନ ମାମୁଁ ତୁମେ ପୂର୍ଣ୍ଣମୀରେ ସ୍ବର୍ଣ୍ଣ
ସୁନ୍ଦର ମୁଖମଣ୍ଡଳ,
ନୀଳ-ଗଗନର ବାଦଲ ସାଥିରେ
ଖେଳ ଲୁଚକାଳି ଖେଳ ।
ଜହ୍ନ ମାମୁଁ ତୁମେ ଅମାବାସ୍ୟାରେ ଯେ’
କେଉଁଠି ଶୋଉଛ କୁହ ?
ଧୀରେ ଧୀରେ କଡ଼ ଲେଉଟାଇ ପୁନଃ
ହସି ହସି ଦେଖା ମୁହଁ !
ଜହ୍ନ ମାମୁଁ ତୁମେ କହିବ କି ତବ
ମୁଖେ କଳାଜାଇ କିସ ?
ବଦନାମୀ କଥା ନ ଶୁଣେ ପ୍ରେମିକା
ଆସ୍ବାଦନେ ପ୍ରେମରସ !
ଜହ୍ନ ମାମୁଁ ତୁମେ ପିଲାଙ୍କ ଖେଳଣା
ପ୍ରେମୀଯୁଗଳ ଅମୃତ,
ମାଆ ଭଉଣୀଙ୍କ ସଂସ୍କୃତି ଚନ୍ଦନ
ଶିବ ମସ୍ତକେ ଶୋଭିତ ।
ଜହ୍ନ ମାମୁଁ ତୁମେ ଗହ୍ମା-ପୂନେଇଁରେ
ମାଈଁଙ୍କୁ ନେଇକି ଆସ,
ତା’ ପାଇଁ ବେଭାର ସ୍ବର୍ଣ୍ଣ ଚନ୍ଦ୍ରହାର
ଚନ୍ଦ୍ରାନନ ଚମ୍ପୂ ରସ ।
ଊନବିଂଶ ଶତ ଅଣସ୍ତୋରୀ ସନେ
ଜୁଲାଇ କୋଡ଼ିଏ ଦିନ,
ଯାଇଥିଲେ ଆମ ଅଜା ଓ ସାଆନ୍ତ
ଆର୍ମଷ୍ଟ୍ରଙ୍ଗ ଆଲଡ୍ରିନ ।
କେତେ କଥା ତବ ଦେହରେ ଦର୍ଶନ
ବିମୁଗ୍ଧେ ପ୍ରତ୍ଯାବର୍ତ୍ତନ,
ସେବେଠୁ ପୁନଶ୍ଚ ବଡ଼ଭାଇ ବାପ
କରେ ଯାଇ ଗବେଷଣ ।
ଏବେ ଚନ୍ଦ୍ରାୟନ ସୁଗମେ ମୋ’ ମାତ
ଆଘ୍ରାଣ କରେ ସୁବାସ,
କୋଡ଼ିଏ ଜୁଲାଇ ଚନ୍ଦ୍ର ଦିବସରେ
ବୋଲେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର-୭୫୫୦୧୧/