ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ସୁଦୃଢ଼ୀକରଣ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରର ସମନ୍ୱିତ ଯାଞ୍ଚ ପାଇଁ ତଦାରଖ ଓ ପ୍ରବର୍ତ୍ତନ ଦଳ ଗଠନ

*ବାରିପଦା(କ: ବ୍ଯୁ)ତା୧୪/୦୭/୨୦୨୬

        ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA), ମୟୂରଭଞ୍ଜ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଏକ ଜିଲ୍ଲାସ୍ତରୀୟ ଅଗ୍ନି ନିରାପତ୍ତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ କର୍ମଶାଳାରେ ଅଧ୍ୟକ୍ଷତା କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ସଂସ୍ଥାଗତ ପରିଚାଳନାର ଅବିଚ୍ଛେଦ୍ୟ ଅଂଶ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

       ଏହି ଅବସରରେ ଜିଲ୍ଲାସ୍ତରୀୟ ତଦାରଖ ଦଳ ଏବଂ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳ ସ୍ତରରେ ମିଳିତ ଯାଞ୍ଚ ତଥା ପ୍ରବର୍ତ୍ତନ ଦଳ ଗଠନ କରାଯାଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ସମନ୍ୱିତ ଯାଞ୍ଚ ସମ୍ପନ୍ନ କରି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

        କର୍ମଶାଳାରେ କାର୍ଯ୍ୟକ୍ଷମ ଅଗ୍ନି ନିର୍ବାପକ ଉପକରଣର ଉପଲବ୍ଧତା, ସ୍ପଷ୍ଟ ଭାବେ ଚିହ୍ନିତ ଜରୁରୀକାଳୀନ ପ୍ରସ୍ଥାନ ପଥ, ଅବାଧ ନିଷ୍କାସନ ମାର୍ଗ, ଅଗ୍ନି ସତର୍କ ସଙ୍କେତ ବ୍ୟବସ୍ଥା ଏବଂ ବୈଦ୍ୟୁତିକ ସଂସ୍ଥାପନର ନିୟମିତ ରକ୍ଷଣାବେକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅଗ୍ନି ନିରାପତ୍ତା କ୍ଲିୟରାନ୍ସ ପ୍ରାପ୍ତି ଓ ନବୀକରଣ, ନିୟମିତ ସୁରକ୍ଷା ଅଡିଟ୍ କରିବା ଏବଂ ପ୍ରଚଳିତ ଅଗ୍ନି ନିରାପତ୍ତା ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଅନୁଷ୍ଠାନ ମୁଖ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

       ନିୟମିତ ମକ୍ ନିଷ୍କାସନ ଅଭ୍ୟାସ (Mock Evacuation Drill) ଆୟୋଜନ, ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଉପକରଣ ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜରୁରୀକାଳୀନ ପ୍ରତିକ୍ରିୟା ସମ୍ପର୍କିତ ସଚେତନତା ସୃଷ୍ଟି, ଜରୁରୀକାଳୀନ ଯୋଗାଯୋଗ ନମ୍ବର ପ୍ରଦର୍ଶନ ଏବଂ ଅଗ୍ନିଶମ ଓ ଉଦ୍ଧାର ସେବାର ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରକୁ ଅଗ୍ନି ନିରାପତ୍ତାକୁ ସେମାନଙ୍କର ସଂସ୍ଥାଗତ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ଯୋଜନାର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ଆହ୍ୱାନ କରାଯାଇଥିଲା ।

      କର୍ମଶାଳାରେ ଅଗ୍ନିଶମ ଅଧିକାରୀ ଶ୍ରୀ ନିଗମାନନ୍ଦ ପାତ୍ର ଓଡ଼ିଶା ଅଗ୍ନି ନିରାପତ୍ତା ନୀତି–୨୦୧୭ ଏବଂ ଓଡ଼ିଶା ଅଗ୍ନି ନିରାପତ୍ତା ନୀତି–୨୦୨୫ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ଜରୁରୀକାଳୀନ ବିଭାଗର ସହକାରୀ ଜିଲ୍ଲାପାଳ ଶ୍ରୀ ତାପସ କୁମାର ମହାନ୍ତ କାର୍ଯ୍ୟକ୍ରମର ଫଳପ୍ରଦ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜଗବନ୍ଧୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

       ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାନୁଷ୍ଠାନର ପ୍ରତିନିଧି, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରର ପରିଚାଳକମାନେ ଉପସ୍ଥିତ ଥିଲ।

ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *