ଯାଜପୁର ( କ ବ୍ୟୁ ) ତା ୧/୭ : ଯାଜପୁର ଜିଲ୍ଲାରେ ୧୬ ଶହ କୋଟି ଟଙ୍କା ଡି.ଏମ୍.ଏଫ୍ (ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍) ଙ୍କ ଦ୍ଵାରା ଚଳୁ କରାଯାଇଥିବା ବେଳେ ସମଗ୍ର ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ପାଣ୍ଠି ଯେଉଁଠି ଓ କିଭଳି ବିନିଯୋଗ ହୋଇଛି ସେ ସବୁ ତଥ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ । ତେବେ ଉକ୍ତ ପାଣ୍ଠିକୁ କ୍ଷମତାସୀନ ଦଳୀୟ ନେତା, ଅଧିକାରୀ ଓ ଡି.ଏମ୍.ଏଫ୍ ପରିଚାଳନା କରୁଥିବା ସଂସ୍ଥାମାନେ ମିଳିମିଶି ଲୁଟ୍ କରିଥିବା ନେଇ ଯେଉଁ ସନ୍ଦେହ ଉପୁଜିଥିଲା ତାହା ଏବେ ବେଶ୍ ସ୍ପଷ୍ଟ ହୋଇଯାଇଛି। ଜିଲ୍ଲାରେ ବିକାଶ ନିମନ୍ତେ ଯେତେବେଳେ ତଥ୍ୟ ମଗାଯାଇଛି ସେତେବେଳେ ଡି.ଏମ୍.ଏଫ୍ ଉତ୍ତର ଦିଅନ୍ତି ଏ ତଥ୍ୟ ଉପଲବ୍ଧ ନାହିଁ । ଜିଲ୍ଲା ପ୍ରଶାସନ ଓ ଡି.ଏମ୍.ଏଫ୍ ପାଣ୍ଠି ପରିଚାଳନା ଦାୟିତ୍ଵରେ ଥିବା ଇ ଆଣ୍ଡ ୱାଇ ସଂସ୍ଥାର ସ୍ୱଚ୍ଛତା ନେଇ ଏକ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିଚାଳନା ସଂସ୍ଥା ମୋଟା ଅଙ୍କର ଅର୍ଥ ଆତ୍ମସାତ କରିଥିବା ଅନୁମେୟ ହୋଇଛି । କେନ୍ଦୁଝର ଜିଲ୍ଲାରେ ଠିକ୍ ଏଭଳି ଅଭିଯୋଗ କାରଣରୁ ଉକ୍ତ ସେହି ସଂସ୍ଥାକୁ ବିଦା କରାଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ପରିଚାଳନା ଦାୟିତ୍ଵ କାହିଁକି ଦିଆଯାଇଛି ତାହା ଜିଲ୍ଲାବାସୀଙ୍କୁ ଚକିତ କରିଛି । ଜିଲ୍ଲା ପ୍ରଶାସନର ସଂପୃକ୍ତ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ମୂଳରେ କି ରହସ୍ୟ ଅଛି ବୁଝାପଡୁନାହିଁ ।
ଏହି ପାଣ୍ଠିର ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଏଥିରେ ସ୍ପଷ୍ଟ ହୋଇଥିଲା ଯେ ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଉକ୍ତ ପାଣ୍ଠିରେ ୨୦୨୬ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁଧା ୨୯୮୫.୨୫ କୋଟି ଟଙ୍କା ଆଦାୟ ହୋଇଛି । ତହିଁରୁ ୧୬୯୩.୨୦ କୋଟି ଟଙ୍କା ବିନିଯୋଗ ହୋଇ ସାରିଥିବା ବେଳେ ୧୦୯୫.୬୦ କୋଟି ଗଚ୍ଛିତ ରହିଛି । ତେବେ ଡି.ଏମ୍.ଏଫ୍ ଅଫିସର ସ୍ଥିତି ଓ ପ୍ରତିଷ୍ଠା ଏବଂ ପରିଚାଳନା ସଂସ୍ଥା ସେଥିରେ କର୍ମଚାରୀଙ୍କ ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା, ଦରମା, ଚୟନ ପ୍ରକ୍ରିୟା, ବର୍ତ୍ତମାନର ଆର୍ଥିକ ବିନିଯୋଗ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଗତ ମାସ ୨୩ ତାରିଖରେ ଉକ୍ତ ଅଫିସକୁ ସୂଚନା ଅଧିକାର ଆଇନ୍ ବଳରେ ସୂଚନା ମଗାଯାଇଥିଲା । କିନ୍ତୁ ଏ ସମ୍ପର୍କିତ ତଥ୍ୟ ଡି.ଏମ୍.ଏଫ୍ କାର୍ଯ୍ୟାଳୟରେ ଉପଲବ୍ଧ ନଥିବା ଦର୍ଶାଇବା ଘଟଣା ଜନସାଧାରଣଙ୍କ ସନ୍ଦେହକୁ ଦ୍ଵିଗୁଣିତ କରିଛି । ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ନାନାଦି ପ୍ରକାର ବିକାଶ ମୂଳକ କାର୍ଯ୍ୟରେ ଖଣିଜ ପାଣ୍ଠିର ବିନିଯୋଗ ଏବଂ ସୁପରିଚାଳନା ପାଇଁ ୟାର୍ନେଷ୍ଟ ୟାଣ୍ଡ୍ ୟଙ୍ଗ (ଇ-ୱାଈ) ସଂସ୍ଥା ସହିତ ଚୁକ୍ତିନାମା ସ୍ଵାକ୍ଷର ହୋଇଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ଡି.ଏମ୍.ଏଫ୍ ର ମ୍ୟାନେଜିଂ ଟ୍ରଷ୍ଟି ଥିଲେ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସି.ଇ.ଓ. ଦାୟିତ୍ଵରେ ଅଛନ୍ତି । ସୁପରିଚାଳନା ନିମନ୍ତେ ୯ ଜଣଙ୍କୁ ( ଜଣେ ଟିମ୍ ମ୍ୟାନେଜର ଓ ଅନ୍ୟମାନଙ୍କୁ) ନିଯୁକ୍ତି ମିଳିଛି । ୨୦୨୪ ମସିହାରୁ ହୋଇ ଅନିୟମିତତା ମଧ୍ୟରେ ସଂସ୍ଥା ଗତି କରୁଛି । ଏତଦ୍ ଭିନ୍ନ ଡି.ଏମ୍.ଏଫ୍ ବେଆଇନି ଭାବେ ବାଲି, ମହରମ୍, ମାଙ୍କଡ଼ା, ଗ୍ରାନାଇଟ ଆଦି ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ବେଶ୍ ଅନୁକମ୍ପା ପ୍ରଦର୍ଶନ କରିଚାଲିଥିବା ଜନସାଧାରଣରେ ଅଭିଯୋଗ ହୋଇଛି ।
ଅଭିମନ୍ୟୁ ଧଳ ସ୍ୱତନ୍ତ୍ର ପ୍ରତିନିଧି ଯାଜପୁର ଜିଲ୍ଲା