ବିଶ୍ବ ଜନସଂଖ୍ୟା ଦିବସ World Population Day : 11th July🌎

ପ୍ରାୟ ଏକ ଶତ ପଞ୍ଚାନବେ ଦେଶ
ଧରିତ୍ରୀ ବକ୍ଷେ ଶୋଭିତ,
ଭୌଗୋଳିକ ଚିତ୍ର ଏମନ୍ତ ବିଚିତ୍ର
ଜନମାନସ ମୋହିତ ।

ସାମାଜିକ ସ୍ତରେ ବିଶ୍ବ ସମୁଦାୟେ
ଜନସଂଖ୍ୟା ପ୍ରଭାବିତ,
ପ୍ରତି ଦେଶେ ଜନ- ଗଣନା କାର୍ଯ୍ୟରୁ
ସାଂଖ୍ୟିକତା ନିରୂପିତ ।

ଊନବିଂଶ ଶତ ଶତାଅଶି ସନେ
ପାଞ୍ଚ ଶହ କୋଟି ଜନ,
ଏବେ ଦି’ ହଜାର ପଚିଶି ସାଲରେ
ଆଠ ଶହ କୋଟି ଊର୍ଦ୍ଧ୍ବ ।

ଘନ ଜନସଂଖ୍ୟା ଭାରତ ଚାଇନା
ଆମେରିକା ଯୁକ୍ତରାଷ୍ଟ୍ର,
ରୁଷିଆ ବ୍ରାଜିଲ ଇଣ୍ଡୋନେସିଆ ଓ
ପାକିସ୍ତାନ ବାଂଲାଦେଶ ।

ଭାରତ ଚାଇନା ତିନି ଶହ କୋଟି
ସତେ କି ଜନ ଅରଣ୍ୟ,
ଏ ଦେଶ ସମୂହେ ଦୁଇ-ତୃତୀୟାଂଶ
ଅବଶିଷ୍ଟେ ଜନ ନ୍ଯୂନ ।

ଘନ ଜନସଂଖ୍ୟା ସଂକଟ ସମସ୍ଯା
ଦାରିଦ୍ର୍ଯ ବେକାରି ସ୍ଥାନ,
ଶିକ୍ଷା ସ୍ବାସ୍ଥ୍ୟ କୃଷି ଶିଳ୍ପରେ ଉନ୍ନତି
ଥିଲେ ଥାଏ ଶୋଭାବନ ।

ଧରଣୀ ବକ୍ଷରେ ଏମନ୍ତ ବି ଦେଶ
ଯେ’ ଏକ ହଜାର ଜନ,
ଏକ ଗ୍ରାମ ତୁଲ୍ୟ ଦେଶ-ମାନ୍ଯ ଦେଶ
ଭାଟିକାନ ଟୋକେଲାନ ।

ଫ୍ରାନ୍ସ ଡେନମାର୍କ ଜାପାନ କାନାଡ଼ା
ଜନ ନିମ୍ନ ମଧ୍ଯାୟନ,
ଏ ଦେଶ ସମୂହେ ଜନସଂଖ୍ୟା ବୃଦ୍ଧି
ନିମନ୍ତେ ଯୋଜନାମାନ ।

ଭାରତ ଚାଇନା ବାଂଲାଦେଶ ଆଦି
ଜନସଂଖ୍ୟା ନିୟନ୍ତ୍ରଣ,
ଅନ୍ନ ବାସସ୍ଥାନ ବେକାରୀ ସମସ୍ଯା
ହ୍ରାସ ସୁଧାର କାରଣ ।

ଜନ ବହୁଳତା ସଂକଟ ହେଲେ ବି
ବୌଦ୍ଧିକ ସମ୍ପତ୍ତି ସତ୍ୟ,
ଉଦ୍ଭାବନ ଅବା ଆବିଷ୍କାରେ ଭବ୍ଯ
ସୁଖ-ଶାନ୍ତି ମହାମନ୍ତ୍ର ।

ଅଷ୍ଟାଦଶ ଶତ ଏକାଅଶି ସନୁ
ଭାରତେ ଜନଗଣନ,
ଶୁଭ ପ୍ରଣୟନେ ବ୍ରିଟିଶ ଶାସକେ
ଶାସନ-ତନ୍ତ୍ର ଶିକ୍ଷଣ ।

ବିଶ୍ବ ଜନସଂଖ୍ୟା ହିସାବ ପ୍ରକ୍ରିୟା
ସାମୂହିକ ଦେଶ ଜନ,
ଊନବିଂଶ ଶତ ଶତାଅଶି ସାଲ
ଜୁଲାଇ ଏଗାର ଚିହ୍ନ ।

ରାଷ୍ଟ୍ର ଜାତିସଂଘ ସ୍ବୀକୃତିରେ ବିଶ୍ବ
ଯେ’ ଜନସଂଖ୍ୟା ଦିବସ,
ଜନଶକ୍ତି ମନ୍ତ୍ରେ ସମାଜେ ଶ୍ରୀବୃଦ୍ଧି
ଚିନ୍ତେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ
କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର
ଯାଜପୁର-୭୫୫୦୧୧

Leave a Reply

Your email address will not be published. Required fields are marked *