କାନ୍ଦ ବନାମ୍ ନିଦ୍ରା

ନ କାନ୍ଦି ରାତିରେ
ଶୋଇଯା’ ରେ ଧନ,
ତୋ କାନ୍ଦିବା ପାଇଁ
ଅଛି କେତେ ଯେ ଯୁଗ….
ଏବେ ପରା ତାଙ୍କ
ପହୁଡ଼ ଵେଳ ଯେ,
ସୁନା ଚାମଚ ରେ
ଯିଏ’ ଖାଆନ୍ତି ଭୋଗ ….।।

ତୁ ସିନା କାନ୍ଦୁଛୁ
ଭୋକ ବିକଳରେ
ପେଟ ପୋଡିଯାଏ
ତୋର ଘଡିକି ଘଡି….
ସେମାନେ ଶୁଅନ୍ତି
ତୁଳି ତଳ୍ପ ଶେଯେ,
ସୁନା ପଲଙ୍କରେ
ନିଜ ମୁହଁ କୁ ମାଡି…।।

ତୁ କାନ୍ଦୁଛୁ ସିନା
ଆଙ୍ଗୁଠି ଚୁଚୁମୀ,
ଉଦର ଜ୍ଵାଳାରୁ
ଟିକେ ଭୁଲିଵା ପାଇଁ….
ସିଏ ଶୋଇଛନ୍ତି
ନିଘୋଡ଼ ନିଦରେ,
ବିଗତ କାଲି ରୁ
କିଛି ଭୁଲିବା ପାଇଁ…।।

ଆଙ୍ଗୁଠି ଚୁଚୁମୀ
ତୁ ରକତ ପିଉଛୁ,
ଟିକେ ଦେଖିବାକୁ
ତୋର ଆସନ୍ତା କାଲି ….
ସିଏ ଶୋଇଛନ୍ତି
ସୋମ ରସ ପିଇ,
ତୋ ଭାଗ ଧନ ରୁ
ପୁଳେ ଲୁଟିଵେ ବୋଲି…,।।

    ----------୦---------
       ସାମ୍ବାଦିକ ପ୍ରଶାନ୍ତ ଜେନା,       
                 ଚଣ୍ଡିଖୋଲ

Leave a Reply

Your email address will not be published. Required fields are marked *