ହେବି ମୁହିଁ ସେନାପତି

ବୀର ବେଶେ ମୋତେ ସଜାଇ ଦିଅ ମା’
ଯିବି ମୁହିଁ ରଣାଙ୍ଗନ,
ମାରିବି ଦୁର୍ଜନ ତାରିବି ସୁଜନ
ଶାନ୍ତ କରିବି ତୋ’ ମନ ।

ସହି ନ ପାରଇ ତୋ’ ଦୁଃଖ ଲୋ ମାତା
ମୋ’ ରକତ ଯାଏ ତାତି,
ପୋଛିବି ଲୋ ଲୁହ ନୟନୁ ତୋହର
ରଣେ ସାଜି ସେନାପତି ।

ବୀର ପ୍ରସବିନୀ ଜନନୀ ପରା ତୁ
କାନ୍ଦୁଅଛୁ କାହିଁପାଇଁ ,
କାନ୍ଦିଲେ ତୁ ମାତ ମୋର ବୀର ରକ୍ତ
ପାଣି ଫାଟିଯିବ ତହିଁ ।

ତୋ କ୍ଷତ-ବିକ୍ଷତ ଦେଖିଲେ ମୋ’ ବକ୍ଷ
ଫାଟି ଯାଉଅଛି ପରା,
ବିଜୟ ଆଶିଷ ଦେଏ ଲୋ ଜନନୀ
ମୁଖେ ରଖି ହସଭରା ।

ତୋର ବୀର ସୁତ ଯାଉଛି ଲୋ ମାତ
ତୋ’ ଚରଣ ଧୂଳି ନେଇ,
ଦେଉଅଛି ଯିଏ ଯନ୍ତ୍ରଣା ବେଦନା
ତାକୁ ବିନାଶିବା ପାଇଁ ।

ତୋ’ ଉଦ୍ଧାର ଆଉ ଦୀନ-ଦୁଃଖୀ ପାଇଁ
ହେବି ମୁହିଁ ସେନାପତି,
ପୋଛିବି ତୋ’ ଲୁହ ଫେଡ଼ିବି ଦୁଃଖ ଲୋ
ଶେଷ କରିବି ଦୁର୍ନୀତି ।

ଆତଙ୍କବାଦୀ କି ସନ୍ତ୍ରାସବାଦୀଙ୍କୁ
ନିହତ କରିବି ଜାଣ,
ଦେଶବାସୀ ଶାନ୍ତି ଜୀବନ-ଯାପନେ
ଯାଉ ପଛେ ମୋର ପ୍ରାଣ !

ହସିବୁ ଲୋ ମାତ ହସିବ ଧରଣୀ
ହସିବେ ସକଳ ଜନ,
ରଣ ଅଭିଯାନ ଲଭିବ ବିଜୟ
ଉଛୁଳିବ ଜୟଗାନ ।

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *