ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର କଲେ ଉଦଘାଟନ
• ଦୈନିକ ୧୦୦୦ ଲୋକଙ୍କୁ ମିଳିବ ଆହାର




କଟକ, ୦୮|୦୭: ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଆଉ ଏକ ନୂତନ ‘ଆହାର କେନ୍ଦ୍ର’ ନିର୍ମାଣ କରାଯାଇଛି। ବୁଧବାର ଅପରାହ୍ନରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି।
ଉଦଘାଟନ ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନା ସହରାଞ୍ଚଳରେ ଗରିବ, ଶ୍ରମଜୀବୀ ଓ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ପାଇଁ ଏକ ବଡ଼ ସହାୟକ ବ୍ୟବସ୍ଥା ଭାବେ ପରିଣତ ହୋଇଛି। ଏହି ନୂତନ କେନ୍ଦ୍ର ଆରମ୍ଭ ହେବା ଫଳରେ ଏସ୍ସିବି ପରିସରକୁ ଆସୁଥିବା ଅଧିକ ସଂଖ୍ୟକ ଲୋକ ସୁଲଭ ମୂଲ୍ୟରେ ଗୁଣାତ୍ମକ ଖାଦ୍ୟ ପାଇପାରିବେ।
ଏହି କାର୍ଯ୍ୟକ୍ରମରେ କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ, ବାଟବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋଷ, କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା, କଟକ ଡିସିପି ଶ୍ରୀ ଖିଲାରୀ ଋିଷିକେଶ ଦ୍ୟାନଦେଓ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପିଟେଣ୍ଡେଣ୍ଟ ପ୍ରମୁଖ ସାମିଲ ହୋଇଥିଲେ।
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପ୍ରତିଦିନ ଆସୁଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ଏହି ନୂତନ ଆହାର କେନ୍ଦ୍ର ନିର୍ମାଣ କରାଯାଇଛି। ମୋଟ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଆହାର କେନ୍ଦ୍ରରେ ପ୍ରତିଦିନ ୬୦୦ ଜଣଙ୍କ ଲାଗି ମଧ୍ୟାହ୍ନ ଭୋଜନ ଏବଂ ୪୦୦ ଜଣଙ୍କ ଲାଗି ରାତ୍ରୀ ଭୋଜନର କ୍ଷମତା ରହିଛି।
କାର୍ଯ୍ୟକ୍ରମରେ କେଏମସିର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଜନ ଅଭିଯୋଗ ଶୁଣାଣି ଏବଂ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତି ପ୍ରଳୟା ବେଉରା ଓ କେଏମସିର ସ୍ଥାନୀୟ କର୍ପୋରେଟରଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ