
କଟକ : କଟକ ସିଭିଲ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଚାଉଳିଆଗଞ୍ଜ ଥାନା ମହିଳା ଆଇଆଇସିଙ୍କ ମୃତ୍ୟୁ ଘଟଣାକୁ ନେଇ ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଥମିବାର ନାଁ ନେଉନି ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା । ପରିବାର ଲୋକଙ୍କ ଅଭିଯୋଗ ପରେ ସବୁ ମହଲରୁ ଏହି ଅସ୍ୱାଭାବିକ ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି । ଏନେଇ ଗତକାଲି ମଧ୍ୟ ଓଡ଼ିଶା ପୋଲିସ ଅଫିସର୍ସ ଆସୋସିଏସନ୍ ସାମ୍ୱାଦିକ ସମ୍ମିଳନୀ କରି 30 ଦିନ ମଧ୍ୟରେ ବିୟୁଟି ମହାନ୍ତିଙ୍କ ମୃତ୍ୟୁର କାରଣ ସାର୍ବଜନିନ କରିବା ପାଇଁ କହିଥିଲା । ଏହାପରେ ଆଜି କଟକ ସିଭିଲ ସୋସାଇଟି ପକ୍ଷରୁ ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଙ୍କ ଦ୍ୱାରା କରାଯାଉ, ମୃତକଙ୍କ ପରିବାରକୁ ସୁରକ୍ଷା ଦିଆଯାଉ, ସିସିଟିଭି ଫୁଟେଜ, କଲ୍ ରେକର୍ଡ଼, ଡ଼ିଜିଟାଲ୍ ପ୍ରମାଣ ପ୍ରଭୃତି ଉପରେ ନଜର ରଖି ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଓଡ଼ିଶା ହାଇକୋର୍ଟ ର ଆଇନଜୀବି ମନୋରଞ୍ଜନ ଜେନା ।