• ପଟ୍ଟାପୋଲ, ପିଠାପୁର, ଛତ୍ରବଜାର, କୃଷକ ବଜାର ଓ ଜଗତପୁର ବୁଲି ସ୍ଥିତି ଅନୁଧ୍ୟାନ କଲେ କମିଶନର ଏବଂ ବରିଷ୍ଠ ଅଧିକାରୀ
• ୪ଟି ସ୍ଥାନରେ ପ୍ରଭାବିତ ଲୋକଙ୍କୁ ବଣ୍ଟାଗଲା ରିଲିଫ୍
• କେଏମସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରେ ଗ୍ରହଣ କରାଯାଉଛି ଅଭିଯୋଗ





କଟକ, ୦୫ ଜୁଲାଇ ୨୦୨୬: ଲଘୁଚାପ ଜନିତ ଲଗାଣ ବର୍ଷାରେ କଟକ ସହରର ବିଭିନ୍ନ ସ୍ଥାନରେ ଏବଂ କିଛି ତଳିଆ ଅଞ୍ଚଳରେ ପାଣି ଜମିରହିଥିବା ଦେଖିବାକୁ ମିଳିଥିଲା। ଏହାର ତ୍ୱରିତ ମୁକାବିଲା ପାଇଁ ଗତକାଲି ରାତିଠାରୁ ଆଜି ପର୍ଯ୍ୟନ୍ତ କଟକ ମହାନଗର ନିଗମର କଣ୍ଟ୍ରୋଲ ରୁମକୁ ବହୁ ସଂଖ୍ୟକ ଅଭିଯୋଗ ଆସୁଛି। ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଉଛି ଏବଂ ତୁରନ୍ତ ପଦକ୍ଷେପ ନିଆଯାଉଛି। ଗତକାଲି ରାତିରେ ମଧ୍ୟ କେମସି ର କର୍ମଚାରୀ ମାନେ ସମ୍ଭାବ୍ୟ ଜଳବନ୍ଦୀ ଅଞ୍ଚଳରେ ମୁତୟନ ଥିଲେ I
କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ପମ୍ପସେଟ୍ ମାଧ୍ୟମରେ ଜମି ରହିଥିବା ପାଣି ନିଷ୍କାସନ କାର୍ଯ୍ୟ ଜୋରଦାର କରାଯାଇଛି। ବିଶେଷକରି ତଳିଆ ଅଞ୍ଚଳରୁ ଶୀଘ୍ର ପାଣି ବାହାର କରିବାକୁ ଉଦ୍ୟମ ଚାଲିଛି। ଆବଶ୍ୟକ ସ୍ଥାନରେ ସେସପୁଲ୍ (ମଳପଙ୍କ ନିଷ୍କାସନ) ଗାଡ଼ିର ମଧ୍ୟ ସହାୟତା ନିଆଯାଉଛି।
କଣ୍ଟ୍ରୋଲ ରୁମକୁ ଯେଉଁ ସ୍ଥାନରୁ ଜଳବନ୍ଦୀ ସମ୍ପର୍କିତ ସୂଚନା ମିଳୁଛି, ସେଠାରେ ତୁରନ୍ତ କଟକ ମହାନଗର ନିଗମର ଅଧିକାରୀ, ସଂପୃକ୍ତ ଜୁନିୟର ଇଞ୍ଜିନିୟର ଏବଂ ରାପିଡ୍ ରେସ୍ପନ୍ସ ଟିମ୍ (RRT) ପହଞ୍ଚି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି।
ଜଳବନ୍ଦୀ ପ୍ରଭାବିତ ଲୋକମାନଙ୍କ ନିକଟରେ ରିଲିଫ୍ ପହଞ୍ଚାଇବା କାର୍ଯ୍ୟ ମଧ୍ୟ କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି। ୨୭ ନମ୍ବର ୱାର୍ଡର ନୂଆସାହି ଅଞ୍ଚଳ, ସତିଗୁମ୍ଫା ଅଞ୍ଚଳ, କୃଷକ ବଜାର ଅଞ୍ଚଳ ଏବଂ ୫୪ ନମ୍ବର ୱାର୍ଡକୁ ରିଲିଫ୍ ସାମଗ୍ରୀ ପଠାଯାଇଛି। ଆବଶ୍ୟକ ସ୍ଥଳେ ଅନ୍ୟ ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ପଠାଇବା ପାଇଁ ବ୍ୟବସ୍ଥା କରାଯିବ I
ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଅତନୁ ସାମନ୍ତ, ସିଟି ଇଞ୍ଜିନିୟର, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଜଗତପୁର ସମେତ ସହରର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ଅନ୍ୟପଟେ କଟକ ମହାନଗର ନିଗମ କମିଶନର କିରନଦୀପ୍ କୌର ସହୋତା ପଟ୍ଟାପୋଲ, ପିଠାପୁର, ଛତ୍ରବଜାର, କୃଷକ ବଜାର ଓ ଜଗତପୁର ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଡ୍ରେନେଜ୍ ବ୍ୟବସ୍ଥା, ପାଣି ନିଷ୍କାସନ କାର୍ଯ୍ୟ ଏବଂ ମହାନଗର ନିଗମ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପର ତଦାରଖ କରିଛନ୍ତି। ଡେପୁଟି କମିଶନର ସରୋଜ ଆଚାର୍ଯ୍ୟ ଏବଂ ଶ୍ରଦ୍ଧାରଞ୍ଜନା ଗ୍ରହାଚାର୍ଯ୍ୟ ପାଣି ଜମିଥିବା ସ୍ଥାନକୁ ଯାଇ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ଭଲମନ୍ଦ ବୁଝିଛନ୍ତି।
କଟକ ମହାନଗର ନିଗମ ଅଧୀନସ୍ଥ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ମହାନଗର ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେହିପରି ସମସ୍ତ ଅଧିକାରୀଙ୍କୁ ସଜାଗ ରହି ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ଜଳବନ୍ଦୀ ଜନିତ ସମସ୍ୟା ଲାଗି କେଏମସି ପକ୍ଷରୁ ୨୪ ଘଣ୍ଟିଆ ସ୍ଵତନ୍ତ୍ର କଣ୍ଟ୍ରୋଲରୁମ୍ ଖୋଲା ଯାଇଛି। ଯୋଗାଯୋଗ ପାଇଁ ଟୋଲ-ଫ୍ରୀ ନମ୍ଵର – ୧୮୦୦୩୪୫୬୭୨୮, ଲ୍ୟାଣ୍ଡଲାଇନ୍ ନମ୍ଵର – ୨୩୧୦୪୭୨/ ୨୩୧୧୨୪୪ ରହିଛି। ଆବଶ୍ୟକ ପରିସ୍ଥିତିରେ ଲୋକମାନେ ଏହି ନମ୍ଵରରେ ଯୋଗାଯୋଗ କରି ନିଜର ଅଭିଯୋଗ ଦାଖଲ କରିପାରିବେ।