
ବାରିପଦା(କ: ବ୍ଯୁ) ୩ ଜୁଲାଇ : ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଜନ ଗଣନା (Population Enumeration–PE) ପ୍ରାକ୍ ପରୀକ୍ଷଣ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷଠାରେ ୧ ଜୁଲାଇରୁ ୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶକ ଡ଼. ଅଭୟ ନାରାୟଣ ନାୟକ, ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ଶ୍ରୀ ସୁଜିତ କୁମାର ପ୍ରଧାନ ଓ ଶ୍ରୀ ଉମାକାନ୍ତ ସାହୁ, ଠାକୁରମୁଣ୍ଡା ତହସିଲଦାର-ତଥା -ଚାର୍ଜ ଅଫିସର ଶ୍ରୀ ସମ୍ବିତ କୁମାର କର, ମୟୂରଭଞ୍ଜର ଉପ ଜିଲ୍ଲା ଜନଗଣନା ଅଧିକାରୀ ମାନସୀ ତରାଇ ଏବଂ ତିନିଜଣ ପରିସଂଖ୍ୟାନ ଅନୁସନ୍ଧାନକାରୀ (ଗ୍ରେଡ୍–୨) ଉପସ୍ଥିତ ରହି ପ୍ରଶିକ୍ଷଣ ପରିଚାଳନା କରୁଛନ୍ତି।
ପ୍ରଶିକ୍ଷଣ ସମୟରେ ଶ୍ରୀ ଦୁଃଖବନ୍ଧୁ ନାୟକ ଅତିରିକ୍ତ ଜିଲ୍ଲାପାଳ-ତଥା -ଜିଲ୍ଲା ଜଣ ଗଣନା ଅଧିକାରୀ, ମୟୂରଭଞ୍ଜ ଜନଗଣନା ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସହ ଆଲୋଚନା କରି ଜନ ଗଣନା ପ୍ରାକ୍ ପରୀକ୍ଷଣର ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ।
ଠାକୁରମୁଣ୍ଡା ଚାର୍ଜ ଅଧୀନରେ ୨୯ଟି ଗଣନା ବ୍ଲକ୍ (Enumeration Blocks-EBs) ପ୍ରାକ୍ ପରୀକ୍ଷଣ ପାଇଁ ଚୟନ କରାଯାଇଛି। ଏହି ପ୍ରଶିକ୍ଷଣରେ ୬ ଜଣ ସୁପରଭାଇଜର ଓ ୩୧ ଜଣ ଗଣନାକାରୀ ଅଂଶଗ୍ରହଣ କରି ଜନସଂଖ୍ୟା ଗଣନା ପ୍ରାକ୍ ପରୀକ୍ଷଣର ଧାରଣା, ପ୍ରକ୍ରିୟା ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
ପୂର୍ବପରୀକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ୧ ଜୁଲାଇରୁ ୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସ୍ୱୟଂ-ଗଣନା (Self-Enumeration) ପର୍ଯ୍ୟାୟ ଚାଲିବ। ଏହା ପରେ ୬ ଜୁଲାଇରୁ ୧୮ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଘରକୁ ଘର ଯାଇ ଜନସଂଖ୍ୟା ଗଣନା (Door-to-Door Population Enumeration) କରାଯିବ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ୧୯ ଜୁଲାଇରୁ ୨୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସଂଶୋଧନ ପର୍ଯ୍ୟାୟ (Revisional Round) ମାଧ୍ୟମରେ ଆବଶ୍ୟକ ସ୍ଥଳରେ ତଥ୍ୟର ଯାଞ୍ଚ ଓ ଅଦ୍ୟତନ କରାଯିବ।
ଏହି ପ୍ରାକ୍ ପରୀକ୍ଷଣ ଜନଗଣନା–୨୦୨୭ର ସଫଳ ରୂପାୟଣ ପାଇଁ କ୍ଷେତ୍ରସ୍ତରରେ ପ୍ରକ୍ରିୟା, ପ୍ରଶ୍ନାବଳୀ ଏବଂ ଡିଜିଟାଲ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ପରୀକ୍ଷା କରିବାରେ ସହାୟକ ହେବ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)