ମଧୁ ସେତୁ ରିଂ ରୋଡ୍ ପାଚେରି ଭୁସୁଡ଼ିବା ଘଟଣା: ଆର ଆଣ୍ଡ ବି ଅଧିକ୍ଷକ ଯନ୍ତ୍ରୀଙ୍କୁ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ

କଟକ ୩/୭: ଗତକାଲି ହୋଇଥିବା ସାମାନ୍ୟ ବର୍ଷାରେ ଚହଟା ଛକରୁ ମଧୁ ସେତୁ ପର୍ଯ୍ୟନ୍ତ ନିର୍ମାଣାଧୀନ ୬ ଲେନ ବିଶିଷ୍ଟ ରିଂ ରୋଡର କଂକ୍ରିଟ ପାଚେରି ପ୍ରାୟ ୨୫ ଫୁଟ ପର୍ଯ୍ୟନ୍ତ ଭୁସୁଡ଼ି ପଡ଼ିବା ଘଟଣାକୁ ନେଇ ଆଜି କଟକ ନଗର ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଦଳର ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ମଣ୍ଡଳୀ କଟକ ଆର ଆଣ୍ଡ ବି (R&B) ଡିଭିଜନର ଅଧିକ୍ଷକ ଯନ୍ତ୍ରୀ ମହମ୍ମଦ ସେହେବାଜଙ୍କୁ ଭେଟି ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଥମ ବର୍ଷାରେ ପ୍ରକଳ୍ପର ଏଭଳି ସ୍ଥିତିକୁ ନେଇ ଦଳ ପକ୍ଷରୁ ଗଭୀର ଉଦ‌ବେଗ ପ୍ରକାଶ କରାଯାଇଛି।

ଏହି ଅବସରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀମତୀ ବେହେରା କହିଛନ୍ତି ଯେ, ବହୁ ଦିନରୁ ଏହି ପ୍ରକଳ୍ପଟି ଆହେତୁକ ବିଳମ୍ବରେ ଚାଲିଥିବା ବେଳେ, ପ୍ରଥମ ବର୍ଷାରେ ହିଁ ପାଚେରି ଭୁସୁଡ଼ିବା ଉକ୍ତ ରାସ୍ତା ନିର୍ମାଣର ଅତି ନିମ୍ନମାନର କାର୍ଯ୍ୟକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି। ଏହାକୁ ନେଇ ସାଧାରଣ ଜନସାଧାରଣଙ୍କ ମନରେ ପ୍ରବଳ ସନ୍ଦେହ ଓ ଆକ୍ରୋଶ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ବିପୁଳ ପାଣ୍ଠି ଯୋଗାଇ ଦିଆଯାଉଥିଲେ ସୁଦ୍ଧା, କାର୍ଯ୍ୟକାରୀ ସଂସ୍ଥାର ଚରମ ପ୍ରଶାସନିକ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଆଜି ହଜାର ହଜାର ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ସର୍ବସାଧାରଣଙ୍କ ସୁରକ୍ଷା ଓ ଜୀବନ ସହ ହେଉଥିବା ଏଭଳି ଖେଳ ଏବଂ କାମଚଳା ଆଲୋଚନାକୁ କୌଣସି ପରିସ୍ଥିତିରେ ବି ବରଦାସ୍ତ କରାଯିବ ନାହିଁ। ପୂର୍ବରୁ ମଧ୍ୟ ନିରନ୍ତର ବିଳମ୍ବ ଯୋଗୁଁ ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲାକ ଲିଷ୍ଟ ବା କଳା ତାଲିକାଭୁକ୍ତ କରିବା ପାଇଁ ମାନ୍ୟବର ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଗମ୍ଭୀର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଅଧିକ୍ଷକ ଯନ୍ତ୍ରୀଙ୍କ ସମ୍ମୁଖରେ ଚାରୋଟି ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି। ଏହି ନିର୍ମାଣ ବିଫଳତାର ପ୍ରକୃତ କାରଣ ଖୋଜିବା ପାଇଁ ତୁରନ୍ତ ଏକ ନିରପେକ୍ଷ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରାଯିବା ସହ ପ୍ରକଳ୍ପ କାର୍ଯ୍ୟରେ ନିରନ୍ତର ବିଳମ୍ବ ଓ ଅତି ନିମ୍ନମାନର ଗୁଣବତ୍ତା ପ୍ରଦର୍ଶନ କରିଥିବା ସମ୍ପୃକ୍ତ ଠିକାଦାରଙ୍କୁ ସଙ୍ଗେ ସଙ୍ଗେ କଳା ତାଲିକାଭୁକ୍ତ କରାଯାଉ ବୋଲି ଦଳ ଦାବି କରିଛି। ଏଥିସ‌ହିତ ନିର୍ମାଣ ଶୈଳୀର ତ୍ରୁଟିକୁ ସଠିକ୍ ଭାବେ ଯାଞ୍ଚ କରିବା ପାଇଁ ଉକ୍ତ ପ୍ରକଳ୍ପର ବୈଷୟିକ ଚିତ୍ର (Technical Blueprints) ଏବଂ ଡିଜାଇନର ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଇଥିବା ଏବଂ ସରକାରୀ ଅର୍ଥର ଅପବ୍ୟୟ କରିଥିବା ସମ୍ପୃକ୍ତ ସମସ୍ତ ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋରଦାର ଦାବି ହୋଇଛି। ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଦାବିପତ୍ର ଉପରେ ବିନା କୌଣସି ବିଳମ୍ବରେ ଯଥାଶୀଘ୍ର ପଦକ୍ଷେପ ନେବ ବୋଲି

ଆଶା ପ୍ରକଟ କରାଯାଇଛି, ନଚେତ୍ ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଜେସି ମହିଳା ସଭାନେତ୍ରୀ ଶୈଳବାଳା ଜେନା, ରାଜ୍ୟ ଓଜେସି ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, ଇଶରତ ଜାହାନ, ସନ୍ତୋଷ କୁମାର ପାତ୍ର, ସୁରଜିତ ସାହୁ, ସେକ ଗୁଲାମ ମୋଇଉଦ୍ଦୀନ, ରାକେଶ ମହାରଣା, ପ୍ରଭାତୀ ପଟ୍ଟନାୟକ, ସିଲା ସାହା, ମନୋରମା ପଣ୍ଡା, ରାଜଶ୍ରୀ ରାୟ, ଅନିତା ବେହେରା, ସ୍ଵାଗତିକା ମହାପାତ୍ର, ବିକ୍ରମ ବିଶ୍ଵାଳ, ବିଶ୍ଵରଞ୍ଜନ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *