
କଟକ, ତା ୨୭/୦୬/୨୦୨୬ : ଆଜି ସ୍ଥାନୀୟ ଗାନ୍ଧୀ ଭବନଠାରେ ଅଲ ଇଣ୍ଡିଆ ସେଭ୍ ଏଜୁକେଶନ କମିଟି, କଟକ ଜିଲ୍ଲା ପକ୍ଷରୁ ‘ସ୍କୁଲ ପାଠ୍ୟପୁସ୍ତକରେ ଅସଂଖ୍ୟ ଭୁଲ ଏବଂ ଅବୈଜ୍ଞାନିକ ଓ ଅଯୌକ୍ତିକ ବିଷୟବସ୍ତୁ ପ୍ରଚଳନ’ ପ୍ରସଙ୍ଗରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ବକ୍ତାମାନେ କହିଥିଲେ ଯେ, ଚଳିତ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପୁସ୍ତକ ଗୁଡିକରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ବନାନଗତ, ବ୍ୟାକରଣଗତ ଓ ତଥ୍ୟଗତ ତୃଟି ପରିଲକ୍ଷିତ ହୋଇଛି । ଆହୁରି ମଧ୍ୟ ବହୁ ମୌଳିକ ଧାରଣାଗତ ଗୁରୁତର ତୃଟି ମଧ୍ୟ ରହିଛି । ଅନେକ ଅବୈଜ୍ଞାନିକ ଓ ଅଯୌକ୍ତିକ ବିଷୟବସ୍ତୁକୁ ସ୍ଥାନିତ କରାଯାଇଛି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସଂଶୋଧିତ ତାଲିକାରେ ମଧ୍ୟ ଅସଂଖ୍ୟ ଭୁଲ୍ ରହିଛି । ଏହାଛଡା ବହୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିଷୟକୁ ହଟାଇ ସେହି ବୟସର ପିଲା ମାନଙ୍କ ପାଇଁ ଅନାବଶ୍ୟକ ବିଷୟକୁ ଭର୍ତ୍ତି କରାଯାଇ ଜ୍ଞାନାର୍ଜନର ବିଜ୍ଞାନସମ୍ମତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଧ୍ୱଂସ କରାଯାଇଛି । ଏହି ବିକୃତ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନୂତନ ତ୍ରୁଟିମୁକ୍ତ ଓ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ଯୋଗାଇଦେବା ଦାବିରେ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ଆନ୍ଦୋଳନ ଶକ୍ତିଶାଳୀ ହେବା ଏବଂ ବହୁ ଶିକ୍ଷାବିତ ଓ ବୁଦ୍ଧୀଜୀବୀମାନଙ୍କ ପ୍ରତିକ୍ରିୟା ଫଳରେ ବାଧ୍ୟହୋଇ ସରକାର ଘୋଷଣା କରିଛନ୍ତି ଯେ, ତୃଟି ସଂଶୋଧନ ପାଇଁ ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ସମ୍ବଳିତ ପୃଷ୍ଠା ବା ରିପ୍ଲେସମେଂଟ୍ ପେଜ୍ ଓ ପ୍ରିଂଟେଡ୍ କରେକ୍ସନ୍ ସିଟ୍ ଯୋଗାଇ ଦିଆଯିବ । ମାତ୍ର ଏହା ଯେ କେତେଦୂର ଉପଯୋଗୀ ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସୁଚନାଯୋଗ୍ୟ ଯେ, ଏହି ବହି ଗୁଡିକରେ ଏନ୍ସିଆର୍ଟି ଦ୍ୱାରା ପ୍ରକାଶିତ ପାଠ୍ୟକ୍ରମର ଅବିକଳ ନକଲ କରାଯାଇଛି । ଅର୍ଥାତ୍ ସିବିଏସ୍ଇ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅବୈଜ୍ଞାନିକ ଓ ଅଯୌକ୍ତିକ ଶିକ୍ଷା ଗ୍ରହଣ କରୁଛନ୍ତି । ସିବିଏସ୍ଇ ସମେତ ବିଭିନ୍ନ ଦେଶର ବିଭିନ୍ନ ରାଜ୍ୟ ବୋର୍ଡମାନଙ୍କର ଏହି ଧରଣର ପାଠ୍ୟ ଖସଡା ଜାତୀୟ ଶିକ୍ଷାନୀତି ୨୦୨୦ ଅଧାରରେ ପ୍ରସ୍ତୁତ କରାଯାଉଛି । ଏଣୁ ଯେତିକି ବି ତୃଟି ପରିଲକ୍ଷିତ ହୋଇଛି ସେସବୁ ହେଉଛି ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରତିଫଳନ । ଅତଏବ ରୋଗର ମୂଳ କାରଣ ହେଉଛି ଜାତୀୟ ଶିକ୍ଷାନୀତି ୨୦୨୦ । ଏଣୁ ଏହି ଚଳିତ ବର୍ଷ ପାଇଁ ଗତ ବର୍ଷର ପାଠ୍ୟପୁସ୍ତକ ଜରିଆରେ ଶିକ୍ଷାଦାନ କରିବା, ସଂପୂର୍ଣ୍ଣ ତୃଟିମୁକ୍ତ ଓ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ପ୍ରକାଶନ କରିବା ଦିଗରେ ସରକାର ଉପଯୁକ୍ତ ପଦକ୍ଷେପ ନେବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ଦାବିରେ ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏହି ଆଲୋଚନା ଚକ୍ରରେ ଦୃଢ ମତ ପ୍ରକାଶ ପାଇଛି ।
ଏହି ଆଲୋଚନା ସଭାରେ କମିଟିର ରେଭେନସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସଚ୍ଚିନ୍ଦ୍ର ରାଉଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା କମିଟିର ରାଜ୍ୟ ସଭାପତି ଡକ୍ଟର ବିରେନ୍ଦ୍ର ନାୟକ, ଶିକ୍ଷାବିତ ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ସତ୍ୟକାମ ମିଶ୍ର, ଡକ୍ଟର ଅର୍ଜୁନ ବିଶ୍ୱାଳ, ରଞ୍ଜନ କୁମାର ଲେଙ୍କା, ଡକ୍ଟର ଦେବାଶିଷ ଅଚାର୍ଯ୍ୟ, ଅଭୟ କୁମାର ସ୍ୱାଇଁ, ଡକ୍ଟର ବ୍ରଜ କିଶୋର ନାୟକ, ବିଦ୍ୟୁତ କୁମାରୀ ଲାଲା, ଜୟନ୍ତ କୁମାର ଦାସ, ଦର୍ପ ଗଂଜନ ସାହୁ, ଦେବବ୍ରତ ପାତ୍ର, ପ୍ରକାଶ କୁମାର ପଟ୍ଟନାୟକ, ହୃଷିକେଶ ବଳ, ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ, ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ଡଃ ବିଶ୍ୱଜିତ, ଇଂ କ୍ଷୀରୋଦ ମହାପାତ୍ର, ବିଶିଷ୍ଟ ଆଇନଜୀବୀ ଚିତ୍ତରଂଜନ ମହାନ୍ତି, ସୋମା ପଟ୍ଟନାୟକ, ସୁକାନ୍ତ ନାୟକ, ବିଜୟ ରାଉତରାୟ, ଚିତ୍ତରଂଜନ ବଳ, କବି ଶର୍ମିଷ୍ଠା ନାଥ, ଅକ୍ଷୟ ରାଉଳ, କଷ୍ଟ୍ ଅକାଉଟାଂଟ୍ ତରୁଣ ରାୟ, ସମାଜସେବୀ ମଞ୍ଜୁଲତା ଜେନା, ମନୋରଂଜନ ମହାରଣା, ଅଭିଭାବକ ରୀନାରଣୀ ଓଝା, ରାଜ୍ୟ କମିଟିର ଉପସଭାପତି ବିଶ୍ୱାବସୁ ଦାସ, ସଂପାଦକ ସୁବାସ ନାୟକ, କମିଟିର ଜିଲ୍ଲା ସଂପାଦକ ବବି ବଳବନ୍ତରାୟ, କୋଷାଧ୍ୟକ୍ଷ ବିନୋଦ ସେଠୀ ପ୍ରମୁଖଙ୍କ ସମେତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ ।