ବୁଦ୍ଧିଜୀବୀ,ଗଣମାଧ୍ୟମଙ୍କ ନିକଟରେ ସୂଚନା ନାହିଁ । ଦୋଷ ଝାଡ଼ିଦେଲେ ଦୁଇ ଅଧିକାରୀ ।
ମନ୍ଦିର ପରିଚାଳନା କମିଟି ଗଠନ ପାଇଁ ଦାବି।

ରାୟଗଡ : ରାୟଗଡ ଠାରେ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରାୟଗଡରେ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି କିଭଳି ତିନି ଠାକୁର ଜନମ ବେଦୀକୁ ଆଗମନ ଠାରୁ ଶ୍ରୀମନ୍ଦିର ବାହୁଡ଼ିବା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଠାକୁର ଦର୍ଶନ, ସହରର ଟ୍ରାଫିକ ସମସ୍ୟା ଭଳି ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ, ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ, ପୋଲିସ ପ୍ରଶାସନ, ବୁଦ୍ଧିଜୀବୀ, ବ୍ରାହ୍ମଣ ସେବାୟତ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କ ମତାମତ ଗ୍ରହଣ କରି ଯାତ୍ରା ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଏ । କିନ୍ତୁ ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକ ଗତ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧକ୍ଷତାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେବଳ ଜିଲ୍ଲାପ୍ରଶାସନ ତରଫରୁ କିଛି ଅଧିକାରୀ, ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ, ରାଜ ପୁରୋହିତଙ୍କ ସହ କିଛି ହାତଗଣତି ସେବାୟତଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ରଥ ଯାତ୍ରା ପ୍ରସ୍ତୁତି ଶାନ୍ତିଶୃଙ୍ଖଳା ସହ
ସୁରୁଖୁରୁରେ କିଭଳି ଅନୁଷ୍ଠିତ ହେବ ବୁଦ୍ଧିଜୀବୀ ଏବଂ ମତାମତ ପ୍ରଦାନ କାରୀଙ୍କୁ ବିନା ସୂଚନାରେ ହୋଇଥିବା ପ୍ରସ୍ତୁତି ବୈଠକ ପ୍ରକାରେ ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାର ସହ ରଥ ଯାତ୍ରା ଅନୁଷ୍ଠିତ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ପୁଣି ଥରେ ପ୍ରତ୍ୟକ ବର୍ଷ ଭଳି ବୈଠକରେ ଯେଉଁମାନେ ଯୋଗଦେଇ ସେମାନଙ୍କ ମତ ରଖିବାପରେ ନିଷ୍ପତି ନିଆ ଯାଉଥିଲା ସେମାନଙ୍କୁ ସୂଚନା ପ୍ରଦାନ କରି ତୁରନ୍ତ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଯଦି ପ୍ରତ୍ୟକ ବର୍ଷ ଭଳି ମତ ପ୍ରଦାନକାରୀଙ୍କୁ ନେଇ ପୁଣିଥରେ ବୈଠକ ଆୟୋଜନ କରି ସେମାନଙ୍କ ବହୁ ମୂଲ୍ୟ ମତାମତକୁ ସମ୍ମାନ ନଜଣାଯାଏ ତାହେଲେ ଶ୍ରଦ୍ଧାଳୁଙ୍କ ସମାଗମ ଓ ପୂଜାବିଧିର କୌଣସି ଅବ୍ୟବସ୍ଥା ବା ଯାତ୍ରା ସୁରୁଖୁରୁରେ ନହେଲେ ଦାୟିତ୍ୱରେ ରହିଥିବା ଅଧିକାରୀ ହିଁ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।ତାସହିତ ଦୀର୍ଘ ବର୍ଷ ଧରି ମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଛି । ଫଳରେ ଶରଧା ଶ୍ରୀକ୍ଷେତ୍ର ପରିଚାଳନାରେ ଅନେକ ଅବ୍ୟବସ୍ଥା ଲାଗି ରହିଛି ।ତୁରନ୍ତ ପରିଚାଳନା କମିଟି ଗଠନ କରି ଶରଧା ଶ୍ରୀକ୍ଷେତ୍ର ପରିଚାଳନାରେ ସୁଧାର ଆଣିବାକୁ ଦାବି ହେଉଛି।
ତେବେ ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ ନିମନ୍ତେ ପଚାରିବାରେ ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ କହିଥିଲେ କି ବ୍ରାହ୍ମଣ ସେବାୟତଙ୍କୁ ସୂଚନା ପ୍ରଦାନ କରିବାକୁ ରାଜ ପୁରୋହିତଙ୍କୁ ଚିଠି ଆକାରରେ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏନେଇ ପଚାରିବାରୁ ଉକ୍ତ ଚିଠିରେ କେବଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପାଇଛି।ଉକ୍ତ ଚିଠିରେ କୌଣସି ଗଣମାଧ୍ୟମ କୁ ଜଣେଇବା ପାଇଁ ସୂଚନା ନ ଥିବାରୁ ମୁଁ ସୂଚନା ପ୍ରଦାନ କରିନାହିଁ ବୋଲି ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଚଳିତ ବର୍ଷ ରଥଯାତ୍ରା କିଭଳି ଅନୁଷ୍ଠିତ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।