




◆ ଲକ୍ଷାଧିକ ଲୋକଙ୍କ ସମାଗମ ସହ ସୃଷ୍ଟି ହୋଇଥିଲା ବାଲିଯାତ୍ରାର ଭ୍ରମ
◆ ରଜ ପିଠା, ପାନ, ଦୋଳି ଖେଳ ସହ ରିଲ୍ସ ଓ ସେଲଫିରେ ଜମିଲା ବାଲିଯାତ୍ରା ପଡ଼ିଆ ପରିସର
◆ ରାଜ୍ୟର ପ୍ରତିଷ୍ଠିତ ୯ ଜଣ ନାରୀ ପ୍ରତିଭାଙ୍କୁ ସମ୍ମାନୀତ କଲା ସିଏମସି
◆ ୧୯ ଓ୍ବାର୍ଡର ୧୯୦ ବସ୍ତି ପିଲାଙ୍କୁ ବଣ୍ଟାହେଲା ପ୍ରାୟ ୨ ଲକ୍ଷ ଟଙ୍କାର ଗିଫ୍ଟ କୁପନ୍
◆ ୧୦ ଜଣ ଅଙ୍ଗନବାଡ଼ି ଦିଦିଙ୍କୁ ବଣ୍ଟା ହେଲା ସ୍ମାର୍ଟ ମୋବାଇଲ୍ ଫୋନ୍
◆ ଅଭିନେତା ଶ୍ରୀତମ୍ ଦାସ ଓ ସମାଜସେବୀ ପ୍ରଫୁଲ୍ଲ ସିଂହଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା
◆ କଣ୍ଠଶିଳ୍ପୀ କୁନମୁନ୍ ଶୀତଲଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ
କଟକ, ୧୬|୦୬: କଟକ ମହାନଗର ନିଗମ ପକ୍ଷରୁ ପ୍ରଥମକରି ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ ବେଶ ଧୁମଧାମର ସହ ଉଦଯାପିତ ହୋଇଛି।
ଶେଷଦିନରେ ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ୍, ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ରୁମଝୁମ୍ ନାୟକ, ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ସସ୍ମିତା ରଥ, ଅନ୍ତର୍ଜାତୀୟ ଫୁଟବଲ୍ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କାଦମ୍ବିନୀ ପତ୍ରିକାର ସଂପାଦିକା ଡକ୍ଟର ଇତି ସାମନ୍ତ, ଏମ୍ସ ଭୁବନେଶ୍ବରର କ୍ୟାନସର ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୋନାଲି ମହାପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତି ମୀରା ଦାସ, ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀମତୀ ମମତା ସାମନ୍ତରାୟ ପ୍ରମୁଖ ନାରୀ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା।
ରଜ କିଭଳି ଆମ ସଂସ୍କୃତି, ପରଂପରା ଓ ସାମାଜିକ ସଂସ୍କାରର ଏକ ପ୍ରମୁଖ ଅଂଶ ହୋଇପାରିଛି ଏବଂ ଏହାକୁ ନେଇ ସିଏମସି ଆରମ୍ଭ କରିଥିବା ସଚେତନତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଝିଅମାନେ ବିଶେଷ କରି ସେମାନଙ୍କର ଶକ୍ତିକୁ ଚିହ୍ନିପାରିଲେ ହିଁ ଏକ ନୂଆ ନବଦିଗନ୍ତର ପରିକଳ୍ପନା କରାଯାଇପାରିବ ବୋଲି ଅତିଥି ବକ୍ତା ଉଲ୍ଲେଖ କରିଥିଲେ। ସିଏମସିର ରେଡ ବକ୍ସ କ୍ୟାମ୍ପେନ୍ ଆଜିର ସାମ୍ପ୍ରତିକ ସମାଜ ପାଇଁ ଏକ ବଡ଼ ଆହ୍ବାନ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।
କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରଳୟା ବେଉରା ନିଜର ଅଭିଭାଷଣ ରଖିଥିଲେ। ଶେଷରେ କମିଶନର କିରନଦୀପ୍ କୌର ସହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ଶେଷଦିନରେ ୧୯ଟି ଓ୍ବାର୍ଡର ୧୯୦ ଝିଅଙ୍କୁ ୧୦୦୦ ଟଙ୍କା ଲେଖାଏଁ ୧ ଲକ୍ଷ ୯୦ ହଜାର ଟଙ୍କାର ଗିଫ୍ଟ କୁପନ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୧୦ ଜଣ ଅଙ୍ଗନଓ୍ବାଡି ଦିଦିଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯାଇଥିଲା।
ଅପରାହ୍ନରେ ଅଭିନେତା ଶ୍ରୀତମ ଦାସ, ସମାଜସେବୀ ପ୍ରଫୁଲ୍ଲ ସିଂହ, ସମାଜସେବୀ ସୁକାନ୍ତ ବିଶ୍ବାଳ ଓ ଚଳଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।