ବଡସାହି ନିର୍ବାଚନ ମଣ୍ଡଳୀରେ ଏସ୍‌ଆଇଆର୍-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷାସଫଳ ବିଏଲ୍‌ଓଙ୍କୁ ସମ୍ବର୍ଦ୍ଧନା

ବାରିପଦା,(କ: ଵ୍ଯୁ)ତା୧୪/୦୬/୨୦୨୬

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ଅଧୀନରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ଏନ୍ୟୁମେରେସନ୍ ଫର୍ମ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ବାରିପଦା ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ବଡ଼ସାହି ଶ୍ରୀ ଦୁଃଖବନ୍ଧୁ ନାୟକ, ଓଏଏସ୍(ଏସ୍), ବେତନଟୀ ବ୍ଲକ ପରିଦର୍ଶନ କରିଥିଲେ ।

         ପରିଦର୍ଶନ ସମୟରେ ଶ୍ରୀ ନାୟକ ଏସ୍‌ଆଇଆର୍-୨୦୨୬ ଅଧୀନରେ ଏନ୍ୟୁମେରେସନ୍ ଫର୍ମ ଡିଜିଟାଇଜେସନ୍ କାର୍ଯ୍ୟର ସାମଗ୍ରିକ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଏଲ୍‌ଓମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟର ଗୁଣାତ୍ମକ ଦିଗ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସଠିକ୍‌, ନିର୍ଭୁଲ ଏବଂ ସମୟୋପଯୋଗୀ ଭାବେ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ଅଧିକ ସୁଦୃଢ଼ ହେବ ବୋଲି ସେ ମତ ପ୍ରକାଶ କରିଥିଲେ ।

         ଏହି ଅବସରରେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଏନ୍ୟୁମେରେସନ୍ ଫର୍ମର ୧୦୦ ପ୍ରତିଶତ ଡିଜିଟାଇଜେସନ୍ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଥିବା ବୁଥ୍ ନମ୍ବର–୨୧୯ର ବିଏଲ୍‌ଓ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ଏବଂ ବୁଥ୍ ନମ୍ବର–୨୨୪ର ବିଏଲ୍‌ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦାସବାବୁଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଅନ୍ୟ ବିଏଲ୍‌ଓମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ।

        ସେ ଆହୁରି କହିଥିଲେ ଯେ, ଭୋଟର ତାଲିକାର ସଠିକତା ଏବଂ ସର୍ବସମାବେଶୀକରଣ ସୁନିଶ୍ଚିତ କରିବାରେ ବିଏଲ୍‌ଓମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ନିର୍ବାଚନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ଦୃଢ଼ ହୋଇଥାଏ। ତେଣୁ ପ୍ରତ୍ୟେକ ବିଏଲ୍‌ଓ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ନିର୍ବାହ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

       ଏହି ସମୀକ୍ଷା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୩୨-ବଡସାହି (ଅନୁସୂଚିତ ଜାତି) ବିଧାନସଭା ନିର୍ବାଚନ ମଣ୍ଡଳୀର ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଚନ୍ଦ୍ରଜିତ୍ ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ମାନସୀ ତରାଇ ଏବଂ ଜିପିଡିଓ ଶ୍ରୀମତୀ ମାଳତୀ ପ୍ରିୟା ମୁର୍ମୁ ଉପସ୍ଥିତ ଥିଲେ।

         କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅଧିକାରୀମାନେ ବିଏଲ୍‌ଓମାନଙ୍କ ଉତ୍ସର୍ଗୀକୃତ ସେବା ଓ ଦାୟିତ୍ୱବୋଧର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ।

ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *