ବିଶ୍ଵ ଶିଶୁ-ଶ୍ରମ ବିରୋଧ ଦିବସ 12th June ✍️ ଜୁନ ୧୨ ତାରିଖ

ଆଜିର ଶିଶୁ ହିଁ ଆଗାମୀ କାଲିର
ଦେଶ-ଜାତି କର୍ଣ୍ଣଧାର,
ଖାଦ୍ୟ-ବସ୍ତ୍ର ସାଥେ ସ୍ନେହ ଶ୍ରଦ୍ଧା ଅଟେ
କର୍ତ୍ତବ୍ୟ ପରିବାର’ର ।

ଗୁଲୁର୍ ଗୁଲୁର୍ କଥା ସାଥେ ଶିଶୁ
ଖେଳ ଆନନ୍ଦ ବିଚିତ୍ର,
ଶ୍ରୀକୃଷ୍ଣ ପାଟିରେ ଯଶୋଦା ଦେଖିଲେ
ବିଶ୍ବ ବ୍ରହ୍ମାଣ୍ଡର ଚିତ୍ର ।

ଦରିଦ୍ର ଶିଶୁଙ୍କ ଯତ୍ନ ଓ ସୁରକ୍ଷା
ଜନଗଣଙ୍କ ଦେବତ୍ବ,
ଶିଶୁଙ୍କ ବଦନ ଲେଖକ ତୂଳୀରେ
ମର୍ତ୍ତ୍ୟପୁର ପାରିଜାତ ।

ଶିକ୍ଷା-ଦୀକ୍ଷା ଆଉ ସୁରକ୍ଷା ଦାୟିତ୍ବ
ଅଟେ ସରକାର ଧର୍ମ,
ଶିଶୁ-ଶ୍ରମ ଦେଖି ନିରବ ନ ରହି
ଉଦ୍ଧାର ହିଁ ଆମ୍ଭ କର୍ମ ।

ଆଜିକାଲି କିଛି କ୍ଷୁଦ୍ର ଶିଳ୍ପଦ୍ୟୋଗୀ
ଶିଶୁ ଶ୍ରମେ ଲାଭବାନ,
ଆଇନ କଠୋର ନ ଥିବା ପ୍ରମାଣେ
ଖସିଯା’ନ୍ତି ସଇତାନ ।

ତୁମେ ଭାଇ ଥିଲ ଶିଶୁ ଦିନେ ଆଉ
ହେବ ଶିଶୁ ପୁନଃଜନ୍ମ,
ଶ୍ରଦ୍ଧା ଓ ସୁରକ୍ଷା ଦେଇ ଅର୍ଜିଥାଅ
ପ୍ରାରବ୍ଧ’ର ଧର୍ମ-କର୍ମ ।

ଶିଶୁଙ୍କ ଦେହରେ ଈଶ୍ୱର ବିରାଜି
କରନ୍ତି ଅବଲୋକନ,
ଶିଶୁ ଶ୍ରମିକଙ୍କ ପରିତ୍ରାଣ ଲାଗି
ଲବ୍ଧ ହେଉ ଦିବ୍ୟଜ୍ଞାନ ।

ଆହେ ସୃଷ୍ଟି-କର୍ତ୍ତା ଦଇବ ବିଧାତା
ନମୋ-ନମଃ ହୟଗ୍ରୀବ,
କୁନା-କୁନୀ ଶିଶୁ ସୁରକ୍ଷା ପ୍ରଦାନେ
ଆଶିଷ କାମନା ତବ ।

ଜୁନ ମାସ ବାର ଦିନ ବିଶ୍ବ ଶିଶୁ
ଶ୍ରମ ବିରୋଧ ଦିବସ,
ଶିଶୁ ଶ୍ରମ ତୀବ୍ର ବିରୋଧ ଆହ୍ବାନେ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *