
କଟକ : ଚଳିତ ମାସ ୧୯ ଓ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ନିର୍ବିଘ୍ନ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଡିଜିପି ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି କିମ୍ବା ବ୍ୟତିକ୍ରମ ନ ଘଟିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସମାଗମ ହେବାର ସମ୍ଭାବନା ଥିବାରୁ ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ହେଲିପ୍ୟାଡ୍, ସଭାସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବା ସହ ବୈଷୟିକ ଯାଞ୍ଚ ଓ ଆଣ୍ଟି-ସାବୋଟାଜ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସାଧାରଣ ଜନତାଙ୍କ ଯାତାୟାତରେ ଯେପରି ସର୍ବନିମ୍ନ ବାଧା ସୃଷ୍ଟି ହୁଏ, ସେଥିପାଇଁ ମୟୂରଭଞ୍ଜର ପ୍ରମୁଖ ସଡ଼କଗୁଡ଼ିକରେ ଆବଶ୍ୟକ ଟ୍ରାଫିକ ଡାଇଭର୍ସନ ବ୍ୟବସ୍ଥା କରାଯିବ ଏବଂ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ଅତିରିକ୍ତ ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି।
ଭିଡ଼ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏସଓଜି, ଷ୍ଟ୍ରାଇକିଂ ଫୋର୍ସ ଓ କେ-୯ ସ୍ପେଶାଲ ସ୍କ୍ୱାଡ୍ ନିୟୋଜିତ କରାଯିବ। ସେହିପରି ସମଗ୍ର ଅଞ୍ଚଳର ନିରୀକ୍ଷଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ସର୍ଭେଲାନ୍ସର ବ୍ୟବସ୍ଥା କରାଯିବ।
ମୟୂରଭଞ୍ଜ ଏକ ସୀମାନ୍ତ ଜିଲ୍ଲା ହୋଇଥିବାରୁ ପଡ଼ୋଶୀ ରାଜ୍ୟ ସୀମାନ୍ତରେ ନାକାବନ୍ଦୀ ଓ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବ। ଏଥିସହ ସ୍ଥାନୀୟ ହୋଟେଲ, ଲଜ୍ ଓ ଅନ୍ୟାନ୍ୟ ଆବାସିକ ସ୍ଥାନଗୁଡ଼ିକରେ ନିୟମିତ ଯାଞ୍ଚ ଓ ତଦାରଖ ଜାରି ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଆପାତକାଳୀନ ଚିକିତ୍ସା ସେବା, ଅଗ୍ନିଶମ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଏବଂ ଜିଲ୍ଲା ପ୍ରଶାସନ ସହ ତ୍ୱରିତ ସମନ୍ୱୟ ରକ୍ଷା କରି ଯେକୌଣସି ପରିସ୍ଥିତିର ତତ୍କାଳ ମୁକାବିଲା କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୋଲିସ କମିସନର (ଭୁବନେଶ୍ୱର-କଟକ) ଡଃ ଦେବଦତ୍ତ ସିଂହ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାସହ ଆଭାସୀ ମାଧ୍ୟମରେ ଡିଆଇଜି (ପୂର୍ବାଞ୍ଚଳ) ଶ୍ରୀ ପିନାକ ମିଶ୍ର ଏବଂ ଏସପି (ମୟୂରଭଞ୍ଜ) ଶ୍ରୀ ବରୁଣ ଗୁଣ୍ଟୁପାଲି ପ୍ରମୁଖ ଯୋଗଦେଇଥିଲେ।