ବିଶ୍ବ ସମୁଦ୍ର ଦିବସ World Ocean Day : 8th June

ସୌରମଣ୍ଡଳରେ ପୃଥିବୀ ତୃତୀୟ
ଗ୍ରହ ଅଟେ ଜଳପୂର୍ଣ୍ଣ,
ଶତକଡ଼ା ପ୍ରାୟ ସତୁରି ଜଳ ଯେ’
ତିରିଶ ଭାଗ ଭୂସ୍ଥାନ ।

ଜଳଭାଗ ପଞ୍ଚ ମହାସାଗର ଯେ’
ପ୍ରଶାନ୍ତ ସବୁଠୁ ବଡ଼,
କ୍ରମେ ଆଟ୍ଲାଣ୍ଟିକ ତା’ପରେ ଭାରତ
ଦକ୍ଷିଣ ମହାସାଗର ।

ସବୁଠାରୁ କ୍ଷୁଦ୍ର ଉତ୍ତର ମେରୁସ୍ଥ
ଆର୍କ୍ଟିକ ମହାସାଗର,
ମହାସାଗରର ଖଣ୍ଡାଅଂଶ ସାଗର
ଭୂମଧ୍ୟ ସାଗର ବଡ଼ ।

ଭାରତର ପୂର୍ବେ କଳିଙ୍ଗ ସାଗର
ପଶ୍ଚିମେ ସିନ୍ଧୁ ଆରବ,
ଲୋହିତ ସାଗର ଜଳ ରଙ୍ଗ ଲାଲ
ସକଳେ ଲୁଣିଆ ସ୍ବାଦ ।

ସ୍ଥଳ-ଜଳପଥ ଓ ଆକାଶ ମାର୍ଗ
ଦେଶେ ଦେଶେ ଯାତାୟତ,
ଭାସ୍କୋଡାଗାମା ଯେ’ ଆବିଷ୍କର୍ତ୍ତା ଜାଣ
ଭାରତକୁ ଜଳପଥ ।

ସମୁଦ୍ର ଗର୍ଭରେ ପାହାଡ଼ ପର୍ବତ
ବରଫ ଶୃଙ୍ଗ ବିପଦ,
ମହାସାଗରରେ ପଥ ସ୍ଥିରୀକୃତ
ଜାହାଜର ଯାତାୟତ ।

ଦେଶ ଦେଶ ମଧ୍ଯେ ବାଣିଜ୍ଯ ବେପାର
ଜଳ-ଜାହାଜ ମାଧ୍ୟମ,
ବିଭିନ୍ନ ଦ୍ରବ୍ଯ ଓ ସାମଗ୍ରୀ ରପ୍ତାନି
ଆମଦାନୀ ସୁଲଭନ ।

ସାମୁଦ୍ରିକ ଢେଉ ଝଡ଼ ଲଘୁଚାପ
ସ୍ଥଳଭାଗକୁ ବିପଦ,
ସାମୁଦ୍ରିକ ଜଳ ବାଷ୍ପୀକରଣରେ
ସ୍ଥଳଭାଗେ ବର୍ଷାନାଦ ।

ସାମୁଦ୍ରିକ ମାଛ ମତ୍ସ୍ୟଜୀବୀଙ୍କର
ସାରାଦେଶରେ ବେପାର,
ସାମୁଦ୍ରିକ ଦୃଶ୍ଯ ଅତୀବ ସୁନ୍ଦର
ଉପକାରିତା ଅପାର ।

ସମୁଦ୍ରର ଶୋଭା ସଫା-ସୁତୁରାରେ
କାନାଡ଼ାର ବୈଜ୍ଞାନିକ,
ଊଣେଇଶ ଶହ ବୟାନବେ ସାଲ
ଆଗଭରେ ପର୍ଯ୍ୟୁତ୍ସୁକ ।

ଦଶ ବର୍ଷ ପରେ ଜୁନ ଆଠ ଦିନେ
କର୍ମଶାଳା ଯେ’ ପାଳିତ,
ଦି’ ହଜାର ଆଠ ମସିହାରେ ତାହା
ଜାତିସଂଘର ସ୍ବୀକୃତ ।

ବରୁଣାଳୟରେ ବାସୁକି ମସ୍ତକେ
ସ୍ବୟଂ ପ୍ରଭୁ ନାରାୟଣ,
ବୈଚିତ୍ର ସୃଜନ ସମୁଦ୍ର ଗର୍ଜନ
ମହୋଦଧି ଶୁଭ ସ୍ନାନ ।

ଦେବ-ଦାନବଙ୍କ ସମୁଦ୍ର ମନ୍ଥନୁ
କାମଧେନୁ ପାରିଜାତ,
ଉଚ୍ଚୈଶ୍ରବା ଅଶ୍ବ ସାଥେ ଦେବୀ ଲକ୍ଷ୍ମୀ
କୌସ୍ତୁଭ ଅମୃତ ପ୍ରାପ୍ତ ।

ସମୁଦ୍ର ଉନ୍ନତି ଶୁଭ ଚେତନାରେ
ବିଶ୍ବ ସମୁଦ୍ର ଦିବସ,
ମହାସାଗରୀୟ ବିଦଗ୍ଧ ଭାବୁକ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର
ଯାଜପୁର – ୭୫୫୦୧୧

Leave a Reply

Your email address will not be published. Required fields are marked *