ବିଶ୍ବ ଆଲୋକ ଦିବସ

ସୃଷ୍ଟିକର୍ତ୍ତା’ଙ୍କର ସୃଷ୍ଟି ସର୍ଜନାରେ
ଭିତ୍ତିଭୂମି ପଞ୍ଚଭୂତ,
ଭୂମି ଜଳ ବାୟୁ ଆକାଶ ଆଲୋକ
କ୍ରିୟା-ପ୍ରକ୍ରିୟା ସଂଯୁକ୍ତ ।

ସ୍ବକୀୟ ଶକ୍ତି ଓ ସୃଜନୀ ଗୁଣରେ
ପ୍ରତ୍ୟେକ ମହିମାନ୍ଵିତ,
ହେଲେ ହେଁ ଆଲୋକ ସର୍ବେ ବିଦ୍ଯମାନ
ପ୍ରତିସାଥେ ଉପସ୍ଥିତ ।

ବାର ମାସେ ତେର ପୂନେଇଁ ପରବ
ମଧ୍ଯରେ ଅଗ୍ନିଉତ୍ସବ,
ଅରୁଣ ଭାସ୍କର ରବି ଦିବାକର
ନମୋନମଃ ସୂର୍ଯ୍ୟଦେବ ।

ସକଳ ଶକ୍ତିର ଆଧାର ଯେ’ ସୂର୍ଯ୍ୟ
ତା’ ଆଲୋକେ ଧରାଧାମ,
ପୃଥ୍ବୀ ଆବର୍ତ୍ତନେ ଦିବା-ନିଶି ଦୃଶ୍ୟ
ଜୀବଜଗତ ସଂଗମ ।

ବିନା ଆଲୋକରେ ଅଙ୍କୁରୋଦଗମ
ଭୂମି-ଜଳରେ ଅକ୍ଷମ,
ସୂର୍ଯ୍ୟାଲୋକ ଶକ୍ତି ପ୍ରୟୋଗ ସଞ୍ଚୟ
ବିଜ୍ଞାନର ପରାକ୍ରମ ।

କାଠ କି ପଥର ଘର୍ଷଣରୁ ଜାତ
କୋଇଲା ଶକ୍ତି ବିଦ୍ୟୁତ,
ଜଳେ ଲୁକ୍କାୟିତ ଆଲୋକ ଉତ୍ପନ୍ନେ
କର୍ମାଭିମୁଖୀ ଜଗତ ।

ବିଷାକ୍ତ ଜୀବାଣୁ ସୂର୍ଯ୍ୟାଲୋକେ ଧ୍ବଂସ
ଉଦ୍ଭିଦଜଗତ ଊର୍ଜଃ,
ବିଦ୍ୟୁତ ଆଲୋକେ କଳ-କାରଖାନା
ସାରା ସଂସାରର କାର୍ଯ୍ୟ ।

ସୁସଜ୍ଜିତ ପର୍ବ – ପର୍ବାଣି ଉତ୍ସବ
ଗମନାଗମନେ ଯାନ,
ଆଲୋକରେ ସର୍ବ କାର୍ଯ୍ୟ ସମ୍ପାଦିତ
ପ୍ରତ୍ୟେକ ଚାଲିଚଳନ ।

ବିଦ୍ୟୁତାଲୋକ ଓ ସୂର୍ଯ୍ୟାଲୋକ ଭିନ୍ନ
ଆଧ୍ୟାତ୍ମିକ ଜ୍ଞାନାଲୋକ,
ଅଜ୍ଞାନ ଅନ୍ଧାର ଦୂର କରି ସୃଜେ
ସାଂସାରିକ ଜାଗରୂକ ।

ହିଂସା-ଦ୍ଵେଷ ପାପ କୁଟ-କପଟ ଓ
ଅନ୍ଯାୟ ଅଧର୍ମ ରୋଗ,
ଏ ସକଳ ରୋଗ ନ କରେ ଆକ୍ରାନ୍ତ
ହୃଦେ ଥିଲେ ଜ୍ଞାନାଲୋକ ।

ପଞ୍ଚଭୂତ ଅବା ସୃଷ୍ଟିର ରହସ୍ଯ
ଜ୍ଞାନାଲୋକେ ଆଲୋଚନ,
ଜ୍ଞାନଶକ୍ତି ବଳେ ମହୀମଣ୍ଡଳରେ
ଭ୍ରମଜାଲୁ ପରିତ୍ରାଣ ।

ସକଳ ଆଲୋକ ସର୍ବେ ବ୍ଯବହୃତ
କର୍ମ-ଧର୍ମର ଜୀବନ,
ଭୌତିକ ବଣ୍ଟନେ ହ୍ରାସ ପ୍ରାୟ କିନ୍ତୁ
ଜ୍ଞାନ ବଣ୍ଟନେ ବର୍ଦ୍ଧନ ।

ମେ’ ମାସ ଷୋହଳ ତାରିଖ ପ୍ରଣୀତ
ବିଶ୍ବ ଆଲୋକ ଦିବସ ,
ଆଲୋକୀୟ ଦୀପ୍ତି ସଂଜ୍ଞା ନିରୂପଣେ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *