
ବାରିପଦା( କ ବ୍ୟୁ ))ତା୧୭/୦୪/୨୦୨୬:
ଜିଲ୍ଲାର ବିଭିନ୍ନ ସେବାଶ୍ରମ ଓ ଆଶ୍ରମ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସୁଷମ ଖାଦ୍ୟ ପ୍ରଦାନ କରିବାକୁ ସୁନିଶ୍ଚିତ କରାଯିବ। ନିର୍ଦ୍ଧାରିତ ଖାଦ୍ୟ ସୂଚୀ ଅନୁଯାୟୀ ସ୍ୱଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେବ। ଏହାସହ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ସେବାଶ୍ରମ ଓ ଆଶ୍ରମ ସ୍କୁଲରେ ଉତ୍ତମ ପୋଷଣ ବ୍ୟବସ୍ଥାକୁ ସମୀକ୍ଷା କରିବା ଅବସରରେ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ୍ ହଲ୍ରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଯୋଗଦେଇ ଜିଲ୍ଲାର ସମସ୍ତ ସେବାଶ୍ରମ ଓ ଆଶ୍ରମ ବିଦ୍ୟାଳୟର ଖାଦ୍ୟ ବଣ୍ଟନ ପ୍ରକ୍ରିୟା, ସ୍ୱଚ୍ଛତା ଓ ପରିମଳ ସମ୍ପର୍କରେ ସମୀକ୍ଷା କରିଛନ୍ତି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ସେବାଶ୍ରମ, ଆଶ୍ରମ, ଆଇଟିଡିଏ ଓ ଅନ୍ୟ ସମସ୍ତ ଛାତ୍ରୀନିବାସ ବା ଛାତ୍ରନିବାସରେ ରହୁଥିବା ଅନ୍ତେବାସୀଙ୍କ ସୁବିଧା ଅସୁବିଧା ନିରୀକ୍ଷଣ କରିବାକୁ ନିୟମିତ ପରିଦର୍ଶନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସୟ୍ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିବାବେଳେ ଏହାର ଅନୁପାଳନ ସମ୍ପର୍କରେ ରିପୋର୍ଟ ନେଇଛନ୍ତି। କୌଣସି ବିଦ୍ୟାଳୟରେ ଏହାକୁ ଅନୁପାଳନ କରାଯାଉ ନଥିଲେ, ଖିଲାପକାରୀ ପ୍ରଧାନଶିକ୍ଷକକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ସାମାନ୍ୟତମ ଅବହେଳା ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଓ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ପ୍ରକଳ୍ପ ଅଧିକାରୀ ବାରିପଦା ଆଇଟିଡିଏ ଶ୍ରୀ ପ୍ରଣୟ ରଞ୍ଜନ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ସମେତ ବିଭିନ୍ନ ବିଭାଗର ଅଧିକାରୀ, ଉପଖଣ୍ଡ ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)