୧୫ % ସରିଲାଣି ଭିତର ରତ୍ନଭଣ୍ଡାର ଗଣତିମଣତି, ଚତୁର୍ଥ ଦିନରେ ପ୍ରବେଶ କଲେ ଟିମ୍

ପୁରୀ, ୧୮/୦୪(ବଳରାମ ତ୍ରିପାଠି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି ଚତୁର୍ଥ ଦିନ। ଦିନ ପ୍ରାୟା ୧୦ଟା ୫୦ ସମୟରେ ଗଣତିମଣତି ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲା । ନବମ ଦିନରେ ମାର୍ଗଦର୍ଶିକା ଅନୁଯାୟୀ ସକାଳ ଧୂପ ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲିଯାଇ ଗଣତିମଣତି କରାଯିବ।

ତୃତୀୟ ଦିନ ସୁଦ୍ଧା ପ୍ରାୟ ୧୦୦ ପ୍ରକାର ଅଳଙ୍କାର ଆଦିର ଗଣତିମଣତି ହୋଇଛି । ଏଥିସହ ରତ୍ନ ଗୁଡ଼ିକର ଫଟୋଗ୍ରାଫି, ଭିଡିଓଗ୍ରାଫି, ୩ଡି ମ୍ୟାପିଙ୍ଗ ଓ ଇ-କ୍ୟାଟଲଗ୍ କରାଯାଇଛି। ଅର୍ଥାତ୍ ଭିତର ଭଣ୍ଡାରରେ ଗଚ୍ଛିତ ରତ୍ନଅଳଙ୍କାର ମଧ୍ୟରୁ ପ୍ରାୟ ୧୫ରୁ ୧୭ ପ୍ରତିଶତ ଗଣତିମଣତି କାର୍ଯ୍ୟସରିଛି । ସେପଟେ ତୃତୀୟ ଦିନରେ ବି ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ଦୁଇ ଥର ଖସିଥିଲା ଜଗନ୍ନାଥଙ୍କ ଅଧରମାଳା । ଭିତର ଭଣ୍ଡାର ଗଣତିର ପ୍ରଥମ ଦିନରେ ସୁଭଦ୍ରାଙ୍କର ଅଧର ମାଳ ଛିଣ୍ଡିଥିବା ବେଳେ ଦ୍ୱିତୀୟ ଦିନରେ ବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ମାଳ ଛିଡ଼ିଥିଲା ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଛନ୍ତି ।

୧୯୭୮ ତାଲିକା ଅନୁଯାୟୀ ମେଳକ କରି ରତ୍ନଅଳଙ୍କାରଗୁଡ଼ିକୁ ଗଣତିମଣତି କରାଯାଇଥିଲା । ଏଯାବତ୍କୌଣସି ଅମେଳକ ହୋଇନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି । ଅଳଙ୍କାରଗୁଡ଼ିକୁ ନିର୍ଦ୍ଧାରିତ ମୁଣିରେ ରଖି ଷ୍ଟିଲ ବାକ୍ସ ଓ ପରେ ସିନ୍ଦୁକରେ ରଖାଯାଉଛି । ସିନ୍ଦୁକରେ ଡବଲ ତାଲା ପକାଯାଉଛି । ଆଜିମଧ୍ୟ ଗଣତି କାର୍ଯ୍ୟ ହେବ । ପରଦିନ ଠାରୁ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବାରୁ ନୀତିକୁ ଦୃଷ୍ଟିରେ ରଖି ସମୟ ନିର୍ଦ୍ଧାରଣ ସହ ଗଣତିମଣତି କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନିକ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *