
ପୁରୀ, ୧୧/୦୪(ବଳରାମ ତ୍ରିପାଠି): ଆଉ ମାତ୍ର ୯ ଦିନ ପରେ ଅର୍ଥାତ୍ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ହେବ । ଏଣୁ ଶ୍ରୀନଅର ସମ୍ମୁଖରେ ରଥ ଚାଳି ତିଆରି ଆରମ୍ଭ ହୋଇଛି । ଚାଳି ୧୧ ବଖରା ବିଶିଷ୍ଟ ହେବ । ଚାଳି ତଳେ ଦାରୁଦିଅଁଙ୍କ ରଥ ତ୍ରୟ ନିର୍ମାଣ ହେବ । ୩ ବଖରା ଲେଖାଏଁ ୯ ଘର ବିଶ୍ୱକର୍ମାଙ୍କ ପାଇଁ, ଗୋଟିଏ ଲେଖାଏଁ ବିନ୍ଧ କାରିଗର ଓ ରୁପକାରଙ୍କ ପାଇଁ ଉଦ୍ଦିଷ୍ଟ । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ଚାଳି ତିଆରିରେ ଲାଗିଛନ୍ତି । ଲୁହା ପାଇପ୍ର ଫ୍ରେମ୍ କରାଯିବ । ପରେ ବାଉଁଶ ଓ ଚାଞ୍ଚ ପଡ଼ି ଚାଳି ତିଆରି ସମ୍ପୂର୍ଣ୍ଣ ହେବ । ମହାବିଷୁବ ସଂକ୍ରାନ୍ତି ପରକୁ ଚାଳି କାର୍ଯ୍ୟ ଶେଷ ହେବ ବୋଲି ସର୍ଦ୍ଦାର ଭୋଇ କହିଛନ୍ତି ।
ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ପରେ ରଥ ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ଚାଳି ତଳେ ଆଗେ କରତୀ ସେବକମାନେ ତୁମ୍ବ କାଟିବେ । ବିଶ୍ୱକର୍ମାମାନେ ରଥ ତିଆରିବେ । ରୂପକାରମାନେ ରଥ ଅଳଙ୍କରଣ କାର୍ଯ୍ୟ କରିବେ । ଚାଳି ତଳେ ପ୍ରଥମେ ରଥର ଚକ କାର୍ଯ୍ୟ ହେବ । ଏପଟେ ଠାକୁରଙ୍କ ଚାପ ଖେଳ ପାଇଁ ଡଙ୍ଗା ତିଆରି ସାରି ମୁଣ୍ଡୁଳି ବାହାରକୁ ଆସିଥିବା ସର୍ଦ୍ଦାର ରବି କହିଛନ୍ତି ।