


ଚଣ୍ଡିଖୋଲ, ୯/୪ (କ ବ୍ୟୁ) : ଓଡ଼ିଆ ଘରର ଗାଥା – ଗୌରବ, ଚାଲି ଚଲଣୀ, ଖାଦ୍ୟ ପେୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରା କୁ ବିଶ୍ବ ବିଦିତ କରିବା ଲକ୍ଷରେ ଏପ୍ରିଲ ୧ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଓଡ଼ିଆ ପକ୍ଷ। ଆଜି ୯ମ ଦିବସରେ ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଓଡିଆ ପକ୍ଷ କାର୍ଯ୍ୟକ୍ରମ “ଆସ ବହିଟିଏ କିଣିବା”ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ବରାଳ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମୁଦୁଲି ଯୋଗଦେଇ ଆଜିର ଇଣ୍ଟରନେଟ୍ ଯୁଗରେ ଆଜିବି ପୁସ୍ତକ ପଠନର ଗୁରୁତ୍ବ ରହିଛି। ପୁସ୍ତକ ଜ୍ଞାନର ଭଣ୍ଡାର, ପୁସ୍ତକ ହେଉଛି ପାଠକ ମାନଙ୍କର ପ୍ରକୃତ ବନ୍ଧୁ। ପୁସ୍ତକର ବିକଳ୍ପ ନାହିଁ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ କବି ଭକ୍ତ ଚରଣ ସାହୁ ଯୋଗଦେଇ ମାଆ, ମାଟି, ମାତୃଭୂମି କୁ ଆଦର କରିବା ସହିତ ଦୁନିଆର ଚଳନ୍ତି ଦେବତା ବାପା ମାଆ ଙ୍କୁ ସମ୍ମାନ କଲେ ଜୀବନରେ ଭଲ ମଣିଷ ହେବ। ଏବେ ଅର୍ଥ ସର୍ବସ୍ବ ଜୀବନରେ ଭଲ ମଣିଷ ର ଅଭାବ ରହିଛି। ପିଲାମାନେ ଏକାଗ୍ରତା ନିର୍ଭୀକତା ଓ କର୍ତ୍ତବ୍ୟ ନିଷ୍ଠ ହେଲେ ସଫଳତା ପାଇ ପାରିବେ ବୋଲି କହିବା ସହିତ ବଡ ମଣିଷ ନ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସତ୍ୟପ୍ରକାଶ ନାୟକ ଯୋଗଦେଇ ପୁସ୍ତକ ପଠନର ଉପାଦେୟତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କବିତା ପାଠ, ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଶେଷରେ ଅଧ୍ୟାପକ ଡକ୍ତର ଦୀପକ୍ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।