ଶ୍ରୀମନ୍ଦିର ଆଲୋକୀକରଣରେ ଖର୍ଚ୍ଚ ହେବ ୧୮ କୋଟି, ବିନା ସ୍କୃ, ନଟବୋଲ୍ଡରେ ଲାଗିବ ଲାଇଟ୍‌

ପୁରୀ, ୦୭/୦୪(ବଳରାମ ତ୍ରିପାଠି): ୧୮ କୋଟି ଟଙ୍କା ଖର୍ଚ୍ଚରେ ହେବ ଶ୍ରୀମନ୍ଦିର ଆଲୋକୀକରଣ । ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍ । ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଗରିମା ବଜାୟ ରଖିବା ପାଇଁ କୌଣସି ରଙ୍ଗୀନ୍ କି ଫ୍ଲାସ୍ ଲାଇଟ୍ ଲାଗିବନି । କିନ୍ତୁ ଚାରି ଦ୍ୱାର, ଗର୍ଭଗୃହ ଶିଖର, ନାଟ ମଣ୍ଡପ ଉପର, ଜଗମୋହନ ଉପର ସହ ମେଘନାଦ ପାଚେରି ଓ ଭିତର ବେଢ଼ା ସବୁ ଚମକିବ । ପରିକ୍ରମା ପ୍ରକଳ୍ପ ପରିସର ବି ଦୂରରୁ ଝଲସିବ ।

ସୋମବାର ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଏନେଇ ଖୁବ୍ଶୀଘ୍ର ହେବ ଟେଣ୍ଡର ପ୍ରକ୍ରିୟା । ଫିଲ୍ଡରେ ସରିଛି ସମୀକ୍ଷା । ପ୍ରୋଜେକ୍ଟର ବ୍ୟବହୃତ ହୋଇ ଯେଉଁ ଲାଇଟ୍ ସବୁ ଲାଗିବ ଦେଢ଼ କିଲୋମିଟର ଦୂରରୁ ବି ରାତିରେ ସ୍ପଷ୍ଟ ଦେଖାଯିବ ଶ୍ରୀମନ୍ଦିର । ଏହା ଆଧ୍ୟାତ୍ମିକ ବାତାବରଣକୁ ଆହୁରି ଗରିମାମୟ କରିବ ବୋଲି ପ୍ରଶାସନ ଆଶା ରଖିଛି । ଆଲୋକୀକରଣ ଇନ୍‌ଷ୍ଟଲେସନ୍ ପ୍ରକ୍ରିୟା ଐତିହ୍ୟର କୌଣସି କ୍ଷତି ନକରିବା ଭଳି ହେବ ।

ଏଏସ୍ଆଇର ନିୟମ ଅନୁଯାୟୀ ଲାଇଟ୍ ଇନ୍‌ଷ୍ଟଲେସନ୍ ହେବ । ଶ୍ରୀମନ୍ଦିର ଐତିହ୍ୟ ଢାଞ୍ଚାକୁ ନ ଛୁଇଁ କୌଣସି ସ୍କୃ ନ ଲଗାଇ ଲଗାଯିବ ଲାଇଟ୍ । ପାଶ୍ୱର୍ ଦେବଦେବୀ ମନ୍ଦିରଗୁଡ଼ିକ ମଧ୍ୟ ଦୂରରୁ ସ୍ପଷ୍ଟ ଦେଖାଯିବା ଭଳି ଲାଇଟିଂ କରାଯିବ । ପ୍ରଥମେ ଡେମୋ ଦେଖିବା ପରେ କେଉଁ ଲାଇଟ୍ ରହିବ ସେନେଇ ନିଷ୍ପତ୍ତି ନିଆଯିବ । ଭାରତର ପ୍ରସିଦ୍ଧ ଦେବସ୍ଥଳୀ ମହାକାଳେଶ୍ୱର ଓ ଅଯୋଧ୍ୟା ଭଳି ଲାଇଟିଂ ପ୍ରକଳ୍ପ କରିବାକୁ ଯୋଜନା ରହିଛି । ଯେଉଁ କମ୍ପାନୀ ଟେଣ୍ଡର ନେବ, ସେ ଆଗାମୀ ୫ ବର୍ଷ ଯାଏ ମେଣ୍ଟେନାନ୍ସ ମଧ୍ୟ କରିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *