“ଓଡଶୀ ନୃତ୍ୟ ଦେଇଛି ଓଡିଶାର ସ୍ୱତନ୍ତ୍ର ପରିଚୟ ଉଦଳା ଓଡଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ପାଳିତ”

ବାରିପଦା-ଉଦଳା(କ:ବ୍ଯୁ) ତା୧୯/୦୧/୨୦୨୭ ବିଶ୍ୱ ଦରବାରରେ ଓଡଶୀ ନୃତ୍ୟ ଓଡିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମ ରାଜ୍ୟର ପରିଚୟ ସୃଷ୍ଟି କ୍ଷେତ୍ରରେ ଭାଷା ସାହିତ୍ୟ ପରି ଓଡିଶୀ ନୃତ୍ୟର ଭୂମିକା ମଧ୍ୟ ଅନନ୍ୟ । ଏହି ନୃତ୍ୟର ପ୍ରଚାର ପ୍ରସାର ଦିଗରେ ବାଣୀପୀଠ ଉଦଳା ମାଟିରେ ୧୯୯୮ ମସିହାରୁ ଗଢି ଉଠିଥିବା ଓଡଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ଅବଦାନ ଅବିସ୍ମରଣୀୟ ବୋଲି ରବିବାର ସନ୍ଧ୍ୟା ସାଢେ ୭ ଟା ସମୟରେ ସ୍ଥାନୀୟ ଟାଉନ୍ କ୍ଲବ ପରିସରରେ ୨୭ ତମ ବାର୍ଷିକ ଉତ୍ସବ ପାଳିତ ଅବସରରେ ଆୟୋଜିତ ସାଂସ୍କୃତିକ ମଞ୍ଚରେ ଯୋଗ ଦେଇଥିବା ଅତିଥିଗଣ ତାଙ୍କର ବକ୍ତବ୍ୟରେ କହିଥିଲେ । ଓଡଶୀ ଶିକ୍ଷା କେନ୍ଦ୍ରର ଗୁରୁମା ଦିଗବାଳା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନଏସିର ପୂର୍ବତନ ନଗରପାଳ ମନୋଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ୍ କର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ଜେନା,ସେବାନିବୃତ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୀର୍ଘ ୨୭ ବର୍ଷ ଧରି ଅସ୍ଥାୟୀ ଗୃହରେ ଓଡଶୀ ନୃତ୍ୟ ଶିକ୍ଷା କେନ୍ଦ୍ର ଚାଲୁ ରହିଥିବାରୁ ନିଜସ୍ୱ ସ୍ଥାନ ପ୍ରଶାସନ ତରଫରୁ ଯୋଗାଇ ଦେବା ନିମନ୍ତେ ଉପସ୍ଥିତ ଅତିଥିମାନଙ୍କୁ ଅଭିଭାବକମାନଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଖୁବଶୀଘ୍ର ସ୍ଥାନ ନିରୂପଣ ସହ ଓଡଶୀ ଶିକ୍ଷା କେନ୍ଦ୍ର ପାଇଁ ନୂତନ ବିଲଡିଂ ପ୍ରଦାନ କରାଯିବ ବୋଲି ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ଜେନା କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍ନ୍ତଜାତୀୟ ନୃତ୍ୟ ଶିଳ୍ପୀ ଜଗତଜିତ୍ ଦାଶ ଯୋଗ ଦେଇ ନୃତ୍ୟ ପରିବେଷଣ କରିବା ସହିତ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ମଙ୍ଗଳାଚରଣ, ପଲ୍ଲବୀ, ଭଜନ ନୃତ୍ୟ ଭଳି ବହୁ ଆକର୍ଷଣୀୟ ଓଡଶୀ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ଅବସରରେ ସଙ୍ଗୀତଗୁରୁ ଜୟକୃଷ୍ଣ ପୃଷ୍ଟି ଓ ତବଲା ବାଦକ ରବିନ୍ଦ୍ର ନାଥ ପସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଶିକ୍ଷୟିତ୍ରୀ କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଦୀନବନ୍ଧୁ ବାରିକ /(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *