
ବାରିପଦା-ଉଦଳା(କ:ବ୍ଯୁ) ତା.୧୩/୦୧/୨୦୨୬ “ମା”ତାରିଣୀ ଖଣ୍ଡିହୁଡି କୁଅଁରପାଳ, ଦୁଗୁଧା ତାରିଣୀ ପୀଠ ଉଦଳା ଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳନ ପାଇଁ ଏକ ପ୍ରଶାସନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ଅଧ୍ୟକ୍ଷ ଶ୍ରୀବତ୍ସ କଲିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟାନ୍ୟ ଅତିଥି ଭାବେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ, ଉପଜିଲ୍ଲାପାଳ,କପ୍ତିପଦା,ଉଦଳା ସୁଶାନ୍ତ କୁମାର ବାରିକ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ବିଧାୟକ ତଥା ମନ୍ଦିର କମିଟିର ଉପାଧ୍ୟକ୍ଷ, ଶ୍ରୀନାଥ ସୋରେନ୍, ଏନଏସି ଉପାଧ୍ୟକ୍ଷା ଲିଲି ଭୋଳ, ଜିଲ୍ଲା ପରିଷଦ ସଦସ୍ୟା ଜୋନ-୧ ସୁଶାନ୍ତି ସିଂ, ଜୋନ -୨ ଲଳିତା ବିଶୋଇ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ, ସେକ୍ସନ ମ୍ୟାନେଜର ଟିପିଏନଓଡିଏଲ୍ ଆଶିଷ କୁମାର ସାଥୁଆ, ଆସିଷ୍ଟାଣ୍ଟ କନସଲଟାଣ୍ଟ ୱାଟକୋ,ଉଦଳା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବ ସମ୍ମତି କ୍ରମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଉକ୍ତ ବାର୍ଷିକ ଉତ୍ସବ ଆସନ୍ତା ଜାନୁଆରୀ ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାଳିତ ହେବ । ପ୍ରାରମ୍ଭିକ ଦିବସରେ ଘଟୋତ୍ତଳନ ପରେ ବ୍ରତୀମାନଙ୍କର ସମୂହ ସଂକଳ୍ପ ପୂଜା କାର୍ଯ୍ୟ ଆରମ୍ଭ ତଥା ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ ଏବଂ ଅନ୍ତିମ ଦିବସରେ ଧେନୁଦାନ, ପୂର୍ଣ୍ଣାହୁତି ଓ ମିଷ୍ଟାନ୍ନ ବଣ୍ଟନ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭାରପ୍ରାପ୍ତ ନିରୀକ୍ଷକ, ଉଦଳା ଥାନା, ପରିଷ୍କାର ପରିଚ୍ଛନ୍ନ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉଦଳା ଏନଏସି, ପାନୀୟ ଜଳ ଯୋଗାଣ ପାଇଁ ସହକାରୀ ମ୍ୟାନେଜର ୱାଟକୋ ଏବଂ ବିଦ୍ୟୁତ୍ ସଂଯୋଗ ପାଇଁ ଟିପିଏନଓଡିଏଲ୍ ଉଦଳାଙ୍କୁ ଅନୁରୋଧ କରାଗଲା ।
ଆଜିର ପ୍ରସ୍ତୁତି ବୈଠକ ପ୍ରାରମ୍ଭରେ ଟ୍ରଷ୍ଟ ସମ୍ପାଦକ ବିଶ୍ୱନାଥ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ସମ୍ପାଦକ ଗୋବିନ୍ଦ ନାୟକ,ଟ୍ରଷ୍ଟର ଅନ୍ୟାନ୍ୟ କର୍ମକର୍ତ୍ତା ଅନାଦୀ ନାୟକ, କରୁଣାକର ବିଶୋଇ, ତପନ କୁମାର ପୁଥାଳ, ସୁଶାନ୍ତ କୁମାର ସାମଲ ତଥା ଅନ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇ ପ୍ରସ୍ତୁତି ବୈଠକକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)