“ଫିଟୁଛି କିରୋସିନି କଳାବଜାରୀର ଗୁମରଡିଲରଙ୍କ ଦସ୍ତାବିଜ୍ କରି ଜାଲ ଦସ୍ତଖତରେ ସମ୍ପାଦକ କରୁଛନ୍ତି ଲୁଟ୍‌”

ବାରିପଦା-ଉଦଳା(କ:ବ୍ଯୁ) ତା୧୮/୧୨/୨୫ ଆରସିଏମଏସରେ ଚାଲିଛି କିରୋସିନି ଲୁଟ୍ । କଳାବଜାରୀ କରାଯାଉଛି କିରୋସିନି । କିରୋସିନି କଳାବଜାରୀ ର ମୁଖ୍ୟ ନାୟକ ସାଜିଛନ୍ତି ଖୋଦ୍ ଆରସିଏମଏସର ସମ୍ପାଦକ । ଗଣମାଧ୍ୟମ କ୍ୟାମେରାରେ ଉଦଳା ଆରସିଏମଏସ ସମ୍ପାଦକ ବସନ୍ତ କୁମାର ନାୟକଙ୍କ କିରୋସିନି କଳାବଜାରୀ ଧରା ପଡିବା ପରେ ସେ କ୍ୟାମେରା ସାମ୍ନାରେ ଘଟଣାକୁ ଚାପି ଦେବାକୁ କରିଥିଲେ ଉଦ୍ୟମ । ହେଲେ ଗଣମାଧ୍ୟମ କ୍ୟାମେରାରେ ସମସ୍ତ ତଥ୍ୟ ଧରା ପଡିଯିବା ପରେ ନିଜ ଉପରୁ ଦୋଷ ଖସାଇ ଡିଲରମାନଙ୍କ ଉପରେ ଦୋଷ ଲଦି ଖସିଯିବା ପାଇଁ ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିଥିଲେ ସମ୍ପାଦକ ଏବଂ ଡିଲରମାନେ କିରୋସିନି ନେଇ ବିକ୍ରୀ କରୁଥିବା ଭଳି ସାଂଘାତିକ ଦୋଷ ଡିଲରଙ୍କ ଉପରେ ଲଦି ଦେଇଥିଲେ । କିନ୍ତୁ ଏହି ପୁରା କିରୋସିନି ଲୁଟର ଖୋଳତାଡ କରିବା ପରେ ସାମ୍ନାକୁ ଆସିଛି ଆରସିଏମଏସ ସମ୍ପାଦକ ବସନ୍ତ କୁମାର ନାୟକଙ୍କ କିରୋସିନି କଳାବଜାରୀ ଡିଲର ମାଷ୍ଟର ପ୍ଲାନ । ଗତ ୧୨ ତାରିଖରେ ଆରସିଏମଏସରୁ ଓ.ଆର.୦୧ଏଫ୬୯୬୮ ନମ୍ବର ବିଶିଷ୍ଟ ପିକଅପରେ ୧୧ ଗୋଟି ବ୍ୟାରେଲ୍‌ରେ ୨୪୦ ଲିଟର ଲେଖାଏଁ ସମୁଦାୟ ୨୬୪୦ ଲିଟର କିରୋସିନି ଲୋଡ ହୋଇ ଚୋରା ଚାଲାଣ ହେବାକୁ ବାହାରିଥିବା ଗଣମାଧ୍ୟମ ହାତରେ ଧରା ପଡିଥିଲା । ଆଉ ଧରା ପଡିବା ପରେ ଉକ୍ତ ଦିନ ଅର୍ଥାତ୍ ୧୨ ତାରିଖ ଦିନ ଉଦଳା ବ୍ଲକ ଅଧିନରେ ଥିବା ୫ ଜଣ ଡିଲରଙ୍କ ନିକଟକୁ ଏହି କିରୋସିନି ଯାଉଥିବା ସେ କହିଥିଲେ । ଏବଂ ଅଫିସ୍ ଦସ୍ତାବିଜରେ ସାଇଁକୁଳା, ଶିରାଥଳୀ, ଜାମୁଡିହା, ପାଟଶାଣୀପୁର ଏବଂ ଖଡିକାଶୋଳ ଡିଲର ଏହି କିରୋସିନି ନେଉଥିବା ସେ ଦେଖାଇଛନ୍ତି । ହେଲେ ଖୋଳତାଡ କରିବା ପରେ ଡିଲରମାନେ ଏହି କିରୋସିନି ନେଇ ନ ଥିବା ସ୍ପଷ୍ଟ ହୋଇଛି । ୫ ଜଣ ଡିଲରଙ୍କ ମଧ୍ୟରୁ ପାଟଶାଣୀପୁରର ଡିଲର ପରେଶ ଚନ୍ଦ୍ର ସିଂ ଯିଏକି ଆଜକୁ ଏକ ବର୍ଷରୁ ଅଧିକ ହେବ କିରୋସିନି ଡିଲର ପଏଣ୍ଟକୁ ନେଉନାହାନ୍ତି । କାହିଁକି ନା ହିତାଧିକାରୀ କିରୋସିନି ଦର ଅଧିକ ଥିବା କାରଣରୁ କିରୋସିନି କିଣିବାକୁ ନାରାଜ ହେଉଥିବାରୁ ସେ କିରୋସିନି ଆରସିଏମଏସରୁ ଉଠାଇବା ବନ୍ଦ କରି ଦେଇଥିବା ଏବଂ ତାଙ୍କର ସମସ୍ତ କାଗଜପତ୍ର ସମ୍ପାଦକ ବସନ୍ତ ନାୟକଙ୍କ ନିକଟରେ ବର୍ଷେରୁ ଅଧିକ ହେବ ରହିଥିବା ସେ କହିଛନ୍ତି । ସେହିପରି ଖଡିକାଶୋଳର ଡିଲର ସାଜିଥିବା ସଞ୍ଜବତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସୂର୍ଯ୍ୟମଣୀ ସିଂ ଯିଏକି ୮ ରୁ ୯ ମାସ ହେବ କିରୋସିନି ନେଉ ନ ଥିବା କହିଛନ୍ତି ଏବଂ ତାଙ୍କର ମଧ୍ୟ ସମସ୍ତ ଡିଲର କାଗଜପତ୍ର, ଖାତା ସବୁ ଆରସିଏମଏସ ସମ୍ପାଦକଙ୍କ ନିକଟରେ ରହିଛି । ତେଣୁ ସେ ଆଦୌ କିରୋସିନି ନେଉ ନ ଥିବା କହିଛନ୍ତି । ଯାହା ଜଣାପଡିବା ପରେ ଖୋଲିଯାଇଛି ସମ୍ପାଦକଙ୍କ କେଳେଙ୍କାରୀ ଗୁମର । ଡିଲରମାନେ ଆଦୌ ଆରସିଏମଏସ ଅଫିସ୍ ଆସି ନ ଥିବା ବେଳେ ତାଙ୍କ ଡିଲର ଖାତା ଠାରୁ ଆରମ୍ଭ କରି କିରୋସିନି ବଣ୍ଟନ ଖାତାରେ ସବୁଥିରେ ମିଛ ଦସ୍ତଖତ ମାରି କିରୋସିନି ବାଲେଶ୍ୱର ଜିଲ୍ଲାକୁ ସମ୍ପାଦକ ଚୋରା ଚାଲାଣ କରୁଥିବା ସ୍ପଷ୍ଟ ହୋଇଯାଇଛି । ହେଲେ ସେପଟେ ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କୁ ଘଟଣା ବାବଦରେ ପଚାରିବାରୁ ସେ କାଗଜପତ୍ରରେ ସବୁ ଠିକ୍ ଥିବା କହିଥିବା ବେଳେ ଡିଲର ପଏଣ୍ଟରେ କିରୋସିନି ପହଞ୍ôଚଛି କି ନାହିଁ,ତାହାର ଯାଂଚ ନ କରି ଏବଂ ଉକ୍ତ ଦିନ ପିକଅପରେ ଲୋଡ ହୋଇଥିବା କିରୋସିନି କୁଆଡେ ଗଲା ତାହାର ତଦନ୍ତ ନ କରି ସମ୍ପାଦକ ହେରାଫେରି କରୁ ନ ଥିବା କହି ତାଙ୍କୁ ଘଣ୍ଟ ଘୋଡାଇଛନ୍ତି । ତେବେ ପ୍ରଶ୍ନ ଉଠେ ଯଦି ଡିଲରମାନେ ଏକ ବର୍ଷ ହେବ କିରୋସିନି ନେଉନାହାନ୍ତି, ତେବେ ବର୍ଷ ବର୍ଷ ଧରି କିରୋସିନି ଯାଉଛି କୁଆଡେ, ହେଉଛି କେଉଁଠିକୁ ଚାଲାଣ, କେତେ ଲମ୍ବିଛି ସମ୍ପାଦକଙ୍କ କିରୋସିନି କେଳେଙ୍କାରୀର ଚେର ଏହାର ତଦନ୍ତ ହେବା ଜରୁରୀ । ନଚେତ୍ ହିତାଧିକାରୀଙ୍କ କିରୋସିନି ଚଳୁ କରି ସମ୍ପାଦକ ମାଲେମାଲ ହେଉଥିବା ବେଳେ ହିତାଧକାରୀ ଭକୁଆ ହୋଇ ଚାହିଁ ରହିବା ଏବଂ ସରକାରୀ କିରୋସିନି ହରି ଲୁଟ୍ ହେବା ପୁରା ବ୍ୟବସ୍ଥାକୁ ପ୍ରଶ୍ନ ଘେରକୁ ଟାଣିଛି।
ଦୀନବନ୍ଧୁ ବାରିକ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *