ବାରିପଦା-ଉଦଳା(କ:ବ୍ଯୁ) ତା୧୧/୧୨/୨୫ କପ୍ତିପଦା ଉପଖଣ୍ଡର ଗର୍ବ ଗୌରବ ଧୁମୁସା ମହୋତ୍ସବ – ୨୦୨୫ ଚଳିତ ଡିସେମ୍ବର ମାସ ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପୀ ପାଳିତ ହେବା ନେଇ ଉପଖଣ୍ଡ ପ୍ରଶାସନ ସହ ଉପଖଣ୍ଡର ସମସ୍ତ ବ୍ଲକ, ଉଦଳା ଏନଏସି, ଆଇଟିଡିଏ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ଉଦଳା ହାଇସ୍କୁଲ ପଡିଆ ନିକଟସ୍ଥ ଆଦିବାସୀ ସମ୍ବଳ ବିକାଶ କେନ୍ଦ୍ର ସଂଲଗ୍ନ ଧୁମୁସା ମଞ୍ଚ ଓ ମହୋତ୍ସବ ପଡିଆରେ ପ୍ରଦର୍ଶନୀ ମଣ୍ଡପ, ମୀନାବଜାର, ମେଳା ଆୟୋଜନ ନେଇ ପ୍ରସ୍ତୁତି ଚୂଡାନ୍ତ ରୂପ ନେବାକୁ ଯାଉଛି । ମହୋତ୍ସବର ଶୁଭ ଉଦଘାଟନ ଉପଲକ୍ଷେ ଉଦଳା ଗୌଡୀୟ ମଠ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ବାଦ୍ୟ ଝଙ୍କାର ସହ ଆକର୍ଷଣୀୟ କାର୍ଣ୍ଣିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦ୍ଘାଟନୀ ସନ୍ଧ୍ୟାରେ ମହୋତ୍ସବ କମିଟି ତରଫରୁ ମେଲୋଡି କୁଇନ୍ ଅସୀମା ପଣ୍ଡାଙ୍କ ମେଲୋଡି ଓ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨ୟ ସନ୍ଧ୍ୟାରେ ଉଦଳା ଏନଏସି ଆନୁକୁଲ୍ୟରେ ଚଳଚ୍ଚିତ୍ର ତାରକା ଅସିତ୍ ପତି ଙ୍କ ସହିତ କଲିକତାର ତରଙ୍ଗିଣୀ ସାଂସ୍କୃତିକ ଦଳର କାର୍ଯ୍ୟକ୍ରମ ଓ ମିସ୍ ଉଦଳା ଫେସନ୍ ସୋ ଅନୁଷ୍ଠିତ ହେବ । ୩ୟ ସନ୍ଧ୍ୟାରେ ଖୁଣ୍ଟା ପଞ୍ଚାୟତ ସମିତିର ଆୟୋଜନରେ ଚଳଚ୍ଚିତ୍ର ତାରକା ସ୍ୱରାଜ ବାରିକ ଏବଂ ମନିଷାଙ୍କ କାର୍ଯ୍ୟକ୍ରମ ସାଙ୍ଗ କୁ ସ୍ୱର ଓଡିଶା କଳିଙ୍ଗ ଷ୍ଟାର କଣ୍ଠଶିଳ୍ପୀ ତାପସ ବିନ୍ଧାଣୀ ଓ ଲିପି ଙ୍କ ମେଲୋଡି ଏବଂ ପ୍ରଥମ ଥର ପାଇଁ ଧୁମୁସା ମଞ୍ଚରେ କଣ୍ଠଶିଳ୍ପୀ ପୋରାୟନି ସୋରେନ ଓ ଗୋପୀଙ୍କ ଦ୍ୱାରା ସାନ୍ତାଳୀ ସଙ୍ଗୀତ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ୪ର୍ଥ ସନ୍ଧ୍ୟାରେ ଆୟୋଜକ ଗୋପବନ୍ଧୁନଗର ପଞ୍ଚାୟତ ସମିତି ଦ୍ୱାରା ମଞ୍ଚରେ ପରିବେଷିତ ହେବ ଧାରାବାହିକ ଭାଗ୍ୟରେଖା ର ଅଭିନେତ୍ରୀ ସ୍ମୃତିରେଖା ଏବଂ ମାୟା ମମତା ର ପଲ୍ଲବୀ, ହାସ୍ୟ ଅଭିନେତା ନାଲି ଆମ୍ବ, ସାଇ ଇଭେଣ୍ଟ, ମେଲୋଡି, ଓଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟକ ରାଜେଶ ଦାସ ଓ ଗାୟିକା ଅଞ୍ଚଳୀ ଦତ୍ତଙ୍କ କାର୍ଯ୍ୟକ୍ରମ । ଉଦଳା ପଞ୍ଚାୟତ ସମିତି ଦ୍ୱାରା ୫ ମ ସନ୍ଧ୍ୟା, ସେଥିରେ ଆରଏ ଏଣ୍ଟରଟେନ୍ମେଣ୍ଟ, କଲିକତା ଓ ମିଷ୍ଟର ଉଦଳା ବଡି ବିଲଡିଂ ଚମ୍ପିୟାନ ସିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୬ଷ୍ଠ ସନ୍ଧ୍ୟାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ସୁପରଷ୍ଟାର ହାସ୍ୟ ଅଭିନେତା ପପୁ ପମ୍ ପମ୍ ଙ୍କ ଦମଦାର କମେଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୭ମ ସନ୍ଧ୍ୟାର ଆୟୋଜକ ଭାବେ କପ୍ତିପଦା ବ୍ଲକ ଦ୍ୱାରା ପ୍ରଖ୍ୟାତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ମେଲୋଡି କାର୍ଯ୍ୟକ୍ରମରେ ମଞ୍ଚ ଓ ଦର୍ଶମାନଙ୍କୁ ବିମୁଗ୍ଧ କରାଇବାର ଆୟୋଜନ କରାଯାଇଛି । ଉଦ୍ଯାପନୀ ସନ୍ଧ୍ୟାରେ ମହୋତ୍ସବ କମିଟି ତରଫରୁ ବିଷ୍ଣୁମୋହନ କବିଙ୍କ ମେଲୋଡି ସହିତ ଚଳଚ୍ଚିତ୍ର ତାରକା ଏଲିନାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ସନ୍ଧ୍ୟାରେ ସଂପୃକ୍ତ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଛି । ମନ୍ତ୍ରୀ, ବିଧାୟକ, ଅନ୍ୟାନ୍ୟ ଜନ ପ୍ରତିନିଧି, ପ୍ରଶାସନିକ ଉଚ୍ଚ ପଦାଧିକାରୀମାନଙ୍କୁ ଏହି ମହୋତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ପୂର୍ବ ବର୍ଷମାନଙ୍କ ପରି ସ୍ମରଣିକା ଧୁମୁସା ର ଉନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)