
ବାରିପଦା-ଉଦଳା(କ:ବ୍ଯୁ) ତା୨୫/୧୧/୨୫ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଦଳା ମହୋତ୍ସବ “ଧୁମୁସା -୨୦୨୫” ପାଳନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ କପ୍ତିପଦା ଉଦଳା ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ସନ୍ଧାନ ଗୃହ ଉଦଳା ଠାରେ ସୋମବାର ଅପରାହ୍ନ ୩ ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ,ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଓକିଲ ସଂଘ ସମ୍ପାଦକ ବସନ୍ତ କୁମାର ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ । ତତସହିତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, କପ୍ତିପଦା ଉପଖଣ୍ଡର ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ/ଅଧ୍ୟକ୍ଷା, ମହୋତ୍ସବ ସାଧାରଣ ପରିଷଦର ସଦସ୍ୟ/ସଦସ୍ୟା, ବରିଷ୍ଠ ନାଗରିକ, ବୁଦ୍ଧିଜୀବି ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ଥାନ ଓ ତାରିଖ ନିର୍ଦ୍ଧାରଣ, କୋର କମିଟି ଗଠନ, ଅତିଥି ଓ ସାଂସ୍କୃତିକ ଦଳ ଯୋଗାଯୋଗ, ପ୍ରଦର୍ଶନୀ ଷ୍ଟଲ, ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚ ସଜ୍ଜା, ସ୍ମରଣିକା ପ୍ରକାଶନ, ପ୍ରତିଭା ସମ୍ମାନ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ସର୍ବପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେବା ପରେ ମହୋତ୍ସବ କମିଟିର ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ସଂଘ ସଭାପତି ଜୟଚନ୍ଦ୍ର ପତ୍ରୀଙ୍କ ଦେହାନ୍ତ ହୋଇଯାଇଥିବାରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ରମେଶ ପୃଷ୍ଟି ବିଗତ ବର୍ଷ ମହୋତ୍ସବର ଆୟବ୍ୟୟ ଉପସ୍ଥାପନ କରିଥିଲେ । ସମସ୍ତ ମଞ୍ଚାସୀନ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତଙ୍କ ଠାରୁ ମତାମତ ନିଆଯାଇ ଚଳିତ ବର୍ଷ ମହୋତ୍ସବ ଡିସେମ୍ବର ୧୪ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ମହା ଆଡମ୍ବରରେ ପାଳିତ ହେବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଉପଖଣ୍ଡର ୪ ଗୋଟି ବ୍ଲକ, ଉଦଳା ଏନଏସି ଏବଂ ଆଇଟିଡିଏ କପ୍ତିପଦା ଉଦଳା ତଥା ଉପଖଣ୍ଡ ମହୋତ୍ସବ କମିଟି ତରଫରୁ ମୋଟ ୮ ଦିନ ପାଇଁ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଦିବସ ଡିସେମ୍ବର ୧୪ ତାରିଖ ଏବଂ ଉଦଯାପନୀ ଦିବସ ଡିସେମ୍ବର ୨୧ ତାରିଖ କାର୍ଯ୍ୟକ୍ରମ ଉପଖଣ୍ଡସ୍ତରୀୟ ପାଳନ କମିଟି ଦ୍ୱାରା ଆୟୋଜିତ ହେବ । ଦ୍ୱିତୀୟ ଦିବସ ଡିସେମ୍ବର ୧୫ ତାରିଖ ଉଦଳା ଏନଏସି, ତୃତୀୟ ଦିବସ ୧୬ ତାରିଖ ଖୁଣ୍ଟା ବ୍ଲକ, ଚତୁର୍ଥ ଦିବସ ୧୭ ତାରିଖ ଗୋପବନ୍ଧୁନଗର ବ୍ଲକ, ପଞ୍ଚମ ଦିବସ ୧୮ ତାରିଖ ଉଦଳା ବ୍ଲକ, ଷଷ୍ଠ ଦିବସ ୧୯ ତାରିଖ ଆଇଟିଡିଏ, କପ୍ତିପଦା, ଉଦଳା, ସପ୍ତମ ଦିବସ ୨୦ ତାରିଖ କପ୍ତିପଦା ବ୍ଲକ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଏଥିସହିତ ଉଦଳା ମହୋତ୍ସବ ଧୁମୁସା -୨୦୨୫ ନିମନ୍ତେ ପ୍ରକାଶିତ ହେବାକୁ ଥିବା ସ୍ମରଣିକା ପାଇଁ ଲେଖକ ଲେଖିକାମାନେ ଉପଖଣ୍ଡର କଳା, ସାହିତ୍ୟ, ସଂସ୍କୃତି ଆଧାରିତ କବିତା, ପ୍ରବନ୍ଧ, ଗଳ୍ପ ଭିତ୍ତିକ ଲେଖା ଆସନ୍ତା ତା ୦୨.୧୨.୨୦୨୫ ରିଖ ସୁଦ୍ଧା ଡିଟିପି କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ବାକ୍ସରେ ପ୍ରଦାନ କରିବାକୁ ଅନୁରୋଧ କରାଗଲା । ସର୍ବଶେଷରେ ଆମେ ଭଞ୍ଜ କଳାକାର କ୍ଲବର ସଭାପତି ପ୍ରସନ୍ନ ଦାସ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଅଜିତ ମହାପାତ୍ର, କରୁଣାକର ମହାନ୍ତ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସତ୍ୟପ୍ରକାଶ ପାତ୍ର ଏବଂ ସନ୍ଧାନ ଗୃହ ଦାୟିତ୍ୱରେ ଥିବା ବିଜୟ କୁମାର ରାୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)