ନୟାଗଡ : ନୟାଗଡ ଜିଲ୍ଲାରୁ ଆସିଛି ଦାଦନ ନିର୍ଯ୍ୟାତନା ଅଭିଯୋଗ । ଜିଲ୍ଲାର ଗଣିଆ ବ୍ଲକ୍ର ୭ଜଣ ହାଇଦ୍ରାବାଦ୍କୁ ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ଏବଂ ସେମାନଙ୍କୁ ଦଲାଲ୍ ଅନ୍ୟ କେଉଁଠାରେ ବିକ୍ରି କରିଦେଇଥିବା ପରିବାର ଲୋକ ଜିଲ୍ଲାପ୍ରଶାସନ ଆଗରେ ଅଭିଯୋଗ କରିଛନ୍ତି । ଦାଦନ ସମସ୍ୟା ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । କାମ ଅଭାବ ଏବଂ ଅଧିକ ଅର୍ଥ ପାଇବା ଆଶାରେ ନୟାଗଡ ଜିଲ୍ଲାର ବହୁ ସଂଖ୍ୟାରେ ଲୋକ ଆନ୍ଧ୍ର , ତାମିଲନାଡୁ ଏବଂ କର୍ଣ୍ଣାଟକକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଲୋକ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଜିଲ୍ଲାର ଗଣିଆ ଥାନା ଆଡକଟା ଗ୍ରାମର ପ୍ରାୟ ୨୫ଜଣ ଗତ ୩ମାସ ତଳେ ହାଇଦ୍ରାବାଦ୍କୁ କାମ କରିବାକୁ ଯାଇଥିଲେ । ନିଜ ଗାଁର ଦଲାଲ୍ ବୁଲୁ ପ୍ରଧାନ ଏବଂ ବୈାଦ୍ଧ ଅଞ୍ଚଳର ଚନ୍ଦନ ଗଡତିଆ ଇଟାଭାଟିରେ କାମ କରିବାକୁ କହି ସେମାନଙ୍କୁ ନେଇଥିଲେ । ଶ୍ରମିକମାନଙ୍କୁ ଦଲାଲ୍ ୪୦ହଜାର ଟଙ୍କା ଲେଖାଁଏ ଅଗ୍ରିମ ଆକାରରେ ଦେଇଥିଲେ । ତେବେ ସେଠାରେ କିଛିଦିନ କାମ କରିବାପରେ କଷ୍ଟ ସହିନପାରି କିଛିଜଣ ଲୁଚିକରି ଗାଁକୁ ପଳାଇଆସିଥିଲେ । ଏହାପରେ ସେଠାରେ ରହିଯାଇଥିବା ୭ଜଣଙ୍କୁ ଦଲାଲ୍ମାନେ ଅନ୍ୟ କେଉଁଠାକୁ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୭ଜଣଙ୍କ ମଧ୍ୟରେ ଦୁଇଜଣ ନାବାଳକ ଏବଂ ନାବାଳିକା , ୨ଜଣ ମହିଳା ରହିଥିବା ଜଣାପଡିଛି । ଗତ ୧୫ଦିନ ହେଲା ସେମାନଙ୍କ କୈାଣସି ପତ୍ତା ମିଳୁନଥିବା ଏବଂ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଦୁଇଜଣ ଦଲାଲ୍ ମଧ୍ୟ ଫୋନ୍ ଉଠାଉନଥିବା ସେମାନେ କହିଛନ୍ତି । ଏନେଇ ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇବାପରେ ଘଟଣାକୁ ଗୁରୁତ୍ତ୍ୱର ସହ ନେଇ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ପୋଲିସ ବିଭାଗକୁ ନିଦେ୍ର୍ଦଶ ଦେଇଥିବା ସି.ଡି.ଓ. କହିଛନ୍ତି । ପୋଲିସ ଅତିଶିଘ୍ର ନିଖୋଜମାନେ କେଉଁଠାରେ ଅଛନ୍ତି ଚିହ୍ନଟକରି ସେମାନଙ୍କୁ ଉଦ୍ଧାର କରିବ ବୋଲି ସେ କହିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ଲୋକଙ୍କୁ କାମ ଯୋଗାଇଦେବାକୁ ବିଭିନ୍ନ ଯୋଜନା କରାଯାଉଥିଲେ ମଧ୍ୟ କିଛି ଲୋକ ଅଧିକ ଲୋଭର ଶିକାର ହୋଇ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହେଉଥିବା ସେ ସ୍ୱିକାର କରିଛନ୍ତି । ଜିଲ୍ଲାରୁ କେତେ ସଂଖ୍ୟାରେ ଲୋକ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସେ ନେଇ ଶ୍ରମ ବିଭାଗ ପାଖରେ କୋଣସି ସୂଚନା ରହୁନଥିବା ଏବଂ ଦଲାଲ୍ ମାନଙ୍କ ଉପରେ ନଜର ରଖିବାରେ ଶ୍ରମବିଭାଗ ବିଫଳ ହେଉଥିବାରୁ ଦଲାଲ୍ ମାନେ ଅଧିକ ସକ୍ରିୟ ହେଉଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ