
କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ପାଞ୍ଚଦିନ
ହବିଷ- ବ୍ରତ ପଞ୍ଚକ,
ପ୍ରାତଃ ସ୍ନାନ ପରେ ଶ୍ରୀକୃଷ୍ଣ ଦର୍ଶନେ
ପାପ ମୁକ୍ତ ହୁଏ ଜନ ।
ଓଷା ମଧ୍ୟେ ଶ୍ରେଷ୍ଠ ‘ବଡ଼-ଓଷା’ ଯେଉଁ
ଓଷାରେ ଧବଳେଶ୍ଵର,
ପ୍ରୀତ ହୋଇ ଭକ୍ତ- ଜନଙ୍କୁ କରନ୍ତି
ସର୍ବ ବିପଦୁ ଉଦ୍ଧାର ।
ଅଅଁଳା ନବମୀ ଶୁଭ ଦିବସରେ
ଶ୍ରୀରାଧା ଚରଣ ସ୍ପର୍ଶ,
ରାଧା-କୃଷ୍ଣେ ଭକ୍ତି ସୁଖ ଶାନ୍ତି ପ୍ରୀତି
ଲଭେ ସମୃଦ୍ଧି ଉଲ୍ଲାସ !
ସାକ୍ଷୀଗୋପୀନାଥ ମନ୍ଦିରେ ଉତ୍ସବ
କୃଷ୍ଣ ନଟବର ବେଶ,
ରାଈ ଓଡ଼ିଆଣୀ ସଜ୍ଜିତେ ପୂଜନେ
ରାଧେକୃଷ୍ଣ ରାଧେକୃଷ୍ଣ ।
ଗୃହ ସମ୍ମୁଖସ୍ଥ ଅଅଁଳା ଗଛକୁ
ଭକ୍ତି-ନୈବେଦ୍ୟ ପୂଜନ,
ଦେବୀ ଲକ୍ଷ୍ମୀଙ୍କର ଆଶିଷେ ସମୃଦ୍ଧି
ସୁଖ-ଶାନ୍ତି ସୁଶୋଭନ ।
ଜଗଦ୍ଧାତ୍ରୀ ଦେବୀ ପୂଜା ଶ୍ରୀନବମୀ
ସତ୍ୟଯୁଗ ଆବାହନ,
ପବିତ୍ର ସଂସ୍କୃତି ଭକ୍ତି ଆରାଧନେ
ସର୍ବେ ଭବନ୍ତୁ ସୁଖିନଃ ।