“କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ : ୨୬୮ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ”

ବାରିପଦା-କପ୍ତିପଦା(କବ୍ଯୁ)
ତା. ୨୭/୧୦/୨୫ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୨୬୮ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଏବଂ ବିଡିଓ କପ୍ତିପଦା ରେଶ୍ମା ଟେଟେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୨୫୦ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୩ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨ ଜଣଙ୍କୁ ୫ ହଜାର ଲେଖାଏଁ ୧୦ ହଜାର ଏବଂ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ମୋଟ ୧୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତ ପାଳସା ଓ ଡିଆଁପାଳସା ମୌଜା ଦେଇ ଶ୍ୟାମସୁନ୍ଦରପୁର ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଜମି ରହୁଥିବା ପାଣି ନିଷ୍କାସନ, କପ୍ତିପଦା ବ୍ଲକ ଗୌଡଗାଁ, କୁଆଗୋଠଣା, ନଛିପୁର ଏବଂ ଚୁଇଁପୋଷି ଆଦି ଗ୍ରାମରେ ଚାଷ ନଷ୍ଟ କରୁଥିବା ବୁଲା ଷେଣ୍ଢଙ୍କୁ ଗୋଶାଳାକୁ ସ୍ଥାନାନ୍ତର, ରାଣୀପୋଖରୀ ହାଟ ଛକରେ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ନିର୍ମାଣ, ଶରତ ବଜାରରେ ଥିବା ଭଗବାନ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାନ ଉନ୍ନତି ଓ ଆଲୋକିକରଣ, ରାଣୀପୋଖରୀ ପଂଚାୟତ ଗେରାସାହି, ବୁଧୁସାହି, ମାନ୍ଦୁରୁସାହି, ହୁଡିସାହି ଆଦି ଗ୍ରାମରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ, ଶରତ ଗ୍ରାମ ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ଏକ ମୋବାଇଲ ଟାୱାର ପ୍ରତିଷ୍ଠା, କଳମଗଡିଆ ପଞ୍ଚାୟତ ଶ୍ରୀପଦମଞ୍ଜରୀପୁର ଗ୍ରାମର ସବାଇ ଉତ୍ପାଦକ ଦଳଙ୍କୁ ସବାଇ ହସ୍ତକଳା ସାମଗ୍ରୀ ପାଇଁ ଭଣ୍ଡାର ଗୃହ ଯୋଗାଇବା, କଳମଗଡିଆ ପଞ୍ଚାୟତ ସୁଡଙ୍ଗ ଗ୍ରାମରେ ନୂତନ ନଳକୂପ ଖନନ, ଶରତ ପଞ୍ଚାୟତ ଗୌରଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ, ନୋଟ ପଞ୍ଚାୟତ ମୁଖ୍ୟରାସ୍ତାରେ ଫନି ବାତ୍ୟା ସମୟରେ ଭାଙ୍ଗି ଯାଇଥିବା ୩ ଗୋଟି ପୋଲ ଏବଂ ନୋଟ ହପବୁରୁ ପ୍ରାଥମିକ ବିଦ୍ୟାଳୟର ୩୦ ବର୍ଷ ପୁରୁଣା ଛାତର ପୁନଃ ନିର୍ମାଣ, ପିଆରଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ ୩ ମହାବିଦ୍ୟାଳୟରେ ପରିଣତ କରିବା, ନୋଟ ପଞ୍ଚାୟତରେ ଆଧାର କେନ୍ଦ୍ର, ଉପଡାକସେବା କେନ୍ଦ୍ର, ଉପ ପଶୁ ଚିକିତ୍ସା କେନ୍ଦ୍ର ଆଦି ସ୍ଥାପନ, ଲାବଣ୍ୟଦେଇପୁର ଫାର୍ମ ପଡିଆରେ ମିନି ଷ୍ଟାଡିୟମ ନିର୍ମାଣ, ଶରତ ପଞ୍ଚାୟତ ସିଲେଇପାହାଡି ଗ୍ରାମର ନାମ ପରିବର୍ତ୍ତନ,ଅଙ୍ଗନବାଡି ଗୃହ ଓ ରାସ୍ତା ନିର୍ମାଣ ଆଦି ଅଭିଯୋଗ, ରାଣୀପୋଖରୀ ପଞ୍ଚାୟତ ଧନୁସାହି ପ୍ରାଥମିକ ବିଦ୍ୟାଳୟର ଭାଙ୍ଗି ଯାଇଥିବା ଗୃହ ନିର୍ମାଣ, କପ୍ତିପଦା ବ୍ଲକରେ ଏମଜିଏନଆରଇଜିଏ କାର୍ଯ୍ୟରେ ଅନିୟମିତତା ଏବଂ ସରଡିହା ପଞ୍ଚାୟତ ଭଣ୍ଡାର ଗ୍ରାମର ନିତ୍ୟାନ୍ତ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ରମେଶ ପୃଷ୍ଟି, ସତ୍ୟ ପ୍ରକାଶ ପାତ୍ର, ସାଇସ୍ୱରୂପ କର, ଶୁଭ୍ରକାନ୍ତ ବେହେରା, ରାଉତରାୟ ମୁର୍ମୁ, ଅନୁଭବ ରାଉତ, ପ୍ରିୟବ୍ରତ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଶ୍ରୀତମ ମହାନ୍ତି, ନିଳାମ୍ବର ସେନାପତି, ତାପସ ପ୍ରଧାନ, ମୃତ୍ୟୁଞ୍ଜୟ ନାୟକ, ଭବାନୀ ପଣ୍ଡା, ଅଜିତ ମହାପାତ୍ର, ତରୁଣ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

    । ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)
                          

Leave a Reply

Your email address will not be published. Required fields are marked *