
ପାରାଦୀପ, ୨୨/୧୦ : ପାରାଦୀପ ବନ୍ଦରଠାରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ, ଜାହାଜ ତିଆରି କାରକାରଖାନା ସମେତ ଗଂଜାମ ଜିଲ୍ଲାର ବାହୁଦାଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ସାଟେଲାଇଟ୍ ବନ୍ଦର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ମୁମ୍ବାଇଠାରେ ଆସନ୍ତା ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ସପ୍ତାହ ଆୟୋଜିତ ହେବାକୁ ଯାଉଛି । ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସାମୁଦ୍ରିକ ରାଷ୍ଟ୍ର, ୨୦୦ ଆର୍ନ୍ତଜାତୀୟ ବିଶେଷଜ୍ଞ ଏବଂ ୫୦୦ରୁ ଉର୍ଦ୍ଧ ଅଗ୍ରଣୀ ସାମୁଦ୍ରିକ ଶିଳ୍ପ ଏକାଠି ହେବା ସହିତ ସାମୁଦ୍ରିକ ବିକାଶ କ୍ଷେତ୍ରର ଜ୍ଞାନ ଆଦାନପ୍ରଦାନ କରିବା ସହିତ ନିବେଶ ସୁଯୋଗ ସୃଷ୍ଟି କରିବ ବୋଲି ପାରାଦୀପ ବନ୍ଦର ପ୍ରଶାସନିକ ଭବନ ବୋର୍ଡ ରୁମ୍ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ । ପାରାଦୀପ ବନ୍ଦର ଏହି ମହାପର୍ବରେ ସାମିଲ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହକୁ ଉଦଘାଟନ କରିବେ । ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଏହି ଅବସରରେ ଜାହାଜ ନିର୍ମାଣ, ଜାହାଜ ମରାମତି, ବନ୍ଦର ଆଧୁନିକୀକରଣ, ସ୍ମାର୍ଟ ବନ୍ଦର ପଦକ୍ଷେପ, ବ୍ୟବସାୟରେ ବିକାଶ ଏବଂ ସବୁଜ ହାଇଡ୍ରୋଜେନ ପ୍ରକଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ। ଏଥି ସହିତ ପୁରୀଠାରେ ଏକ କ୍ରୁଜ୍ ଟର୍ମିନାଲ ନିମନ୍ତେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ସାମୁଦ୍ରିକ ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ନିମନ୍ତେ ପ୍ରାଥମିକ ପର୍ଯ୍ୟାୟରେ ପୁରୀକୁ ଗୁରୁତ୍ୱ ଦେବା ସହିତ ଆଗାମୀ ୨ରୁ୩ ବର୍ଷ ମଧ୍ୟରେ ଏହାକୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାର ଲକ୍ଷ୍ୟ ରହିଥିବା ନେଇ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ସୂଚନା ଦେଇଥିଲେ । ଏହି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପାରାଦୀପ ସମୁଦ୍ର ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀକୁ ଅଧ୍ୟକ୍ଷ ଶ୍ରୀ ହରନାଦ ଉଦଘାଟନ କରିଥିଲେ । ପାରାଦୀପ ବନ୍ଦରର ବିଭାଗୀୟ ମୁଖ୍ୟମାନେ ଏହି କାଯ୍ୟ କ୍ରମରେ ଉପସ୍ଥିତ ଥିଲେ । ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ