ଶହୀଦ ବାଜି ରାଉତ (1926 – 1938)

ଅଠାନବେ ତମ ଜୟନ୍ତୀରେ ଶିଶୁ
ଶହୀଦ ବାଜି ରାଉତ,
କୋଟି ଶ୍ରଦ୍ଧାଞ୍ଜଳି ସହିତ ପ୍ରାର୍ଥନା
ପୁନଃ ହୁଅନ୍ତୁ ଭୂମିଷ୍ଠ ।

ଦେଶପ୍ରେମ ଶବ୍ଦେ ଯିଏ ଅଜ୍ଞ ସିଏ
ଦେଶପ୍ରେମେ ନିମଜ୍ଜନ,
ଶିଶୁ-ସୁଲଭତା ରକ୍ତର ତିଳକ
ଦେଶ-ସେବାରେ ଜୀବନ ।

ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠ ପୁର
ଗ୍ରାମରେ ବାଜି ରାଉତ,
ଊଣୈଶ’ ଛବିଶ ଅକ୍ଟୋବର ପାଞ୍ଚ
ତାରିଖରେ ଆବିର୍ଭୁତ ।

ସର୍ବ ତିନି ଭ୍ରାତ ମଧ୍ଯରେ କନିଷ୍ଠ
ବାଲ୍ଯରୁ ପିତୃ-ଛେଉଣ୍ଡ,
ପିତା ହରି ଅନ୍ତେ ଅସହାୟା ମାତା
ରାଣିଆ ଦୁଃଖେ ପୋଷିତ ।

ଦିବସରେ ଗୋରୁ ଚରାଇ ସଂଧ୍ୟାରେ
ବ୍ରାହ୍ମଣୀ ଘାଟ ରକ୍ଷକ,
ପ୍ରଜାମଣ୍ଡଳର ବାନରସେନା ସେ’
ବାରବର୍ଷର ବାଳକ ।

ଢେଙ୍କାନାଳ ରାଜା ଶଙ୍କର ପ୍ରତାପ
ଅତ୍ଯାଚାରୀ ସ୍ବାର୍ଥପର,
ଆନ୍ଦୋଳନେ ବୀର ବୈଷ୍ଣବ ସହିତ
ବାଜି ହୁଏ ଆଗୁସାର ।

ଗଡ଼ଜାତ ଆନ୍ଦୋ- ଳନ ସମୟରେ
ଢେଙ୍କାନାଳର ଭୁବନ,
ବ୍ରିଟିଶ ବାହିନୀ ପ୍ରବେଶ ନିଷେଧ
ଡଙ୍ଗା-ଚାଳକ ଅମାନ୍ୟ ।

ଅମାନ୍ଯରେ ବାଜି ରାଉତଙ୍କୁ ଗୁଳି
କରିଲେ ବ୍ରିଟିଶ ଦଳ,
ସ୍ବାଧୀନତା ଆନ୍ଦୋ- ଳନେ ଶିଶୁ-ହତ୍ୟା
ଆହାଃ କେଡ଼େ ଦୁଃଖାଶ୍ରୁଳ !

ଭାରତର ସର୍ବ କନିଷ୍ଠ ସଂଗ୍ରାମୀ
ଦେଶପ୍ରେମର ସଂକେତ,
ଜନ୍ମ ଜୟନ୍ତୀରେ କୋଟି ଶ୍ରଦ୍ଧାଞ୍ଜଳି
ଶହୀଦ ବାଜି ରାଉତ !

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *