
ପ୍ରକୃତି ସୃଜନ ସୁନ୍ଦର ଅରଣ୍ୟ
ଦର୍ଶନେ ନୟନ ତୋଷ,
ତା’ଠାରୁ ସୁନ୍ଦର ସୃଜେ ଅଳଙ୍କାର
ବନ୍ଯଜନ୍ତୁ ସବିଶେଷ ।
ଜଳବାୟୁ ସୁସ୍ଥେ ଜଙ୍ଗଲ ଭୂମିକା
ସୃଷ୍ଟିକର୍ତ୍ତା’ଙ୍କ ବିଧାନ,
ଜୀବଜନ୍ତୁ ମଧ୍ଯେ ଶତୃ ମିତ୍ରତାରେ
ପରିବେଶ ସନ୍ତୁଳନ ।
ଜଙ୍ଗଲର ଦାନ ଅମାପ ଅସୀମ
ବୃଷ୍ଟିପାତ ବାୟୁ ସ୍ବଚ୍ଛ,
ମୂଲ୍ଯବାନ କାଠ ଶାଳ ଓ ଚନ୍ଦନ
ସାଥେ ଔଷଧୀୟ ଗଛ ।
ବନ୍ୟଜନ୍ତୁ ସାଥେ ଜଙ୍ଗଲ ସୁରକ୍ଷା
ସରକାର ମନ୍ତ୍ରାଳୟ,
ବନରକ୍ଷୀଗଣ ସର୍କାରୀ ନିଯୁକ୍ତ
ଶୋଭେ ବନ୍ଯ ବିଭାଗୀୟ ।
ରକ୍ଷଣାବେକ୍ଷଣେ ବନରକ୍ଷୀଗଣେ
ବିପଦର ସମ୍ମୁଖୀନ,
ବାତ୍ଯା ଘଡ଼ଘଡ଼ି ବତାସ ବିଜୁଳି
ବନ୍ୟଜନ୍ତୁ ଆକ୍ରମଣ ।
ସାରା ଜଗତରେ ଏମନ୍ତ ପ୍ରକାରେ
ବନରକ୍ଷୀ ମୃତାହତ,
କ୍ଷତିଗ୍ରସ୍ତ କାଳେ ଉତ୍କଣ୍ଠା ପ୍ରକାଶେ
ଶୁଭ ଚିନ୍ତନ ପ୍ରକଟ ।
ଊନବିଂଶ ଶତ ବୟାନବେ ସନେ
ବିଶ୍ବ ବନରକ୍ଷୀ ସଂଘ,
ପ୍ରତିକାର ଦୃଷ୍ଟେ ବିଚାର ବିମର୍ଶେ
କ୍ଷତିପୂରଣ ସୁଯୋଗ ।
ଉତ୍ସବ ପାଳିତ ଦି’ ହଜାର ସାତ
ଜୁଲାଇର ଏକତ୍ରିଶ,
ବନରକ୍ଷୀଗଣ ଲଭନ୍ତି ସମ୍ମାନ
ଗାନେ-ତାନେ କୀର୍ତ୍ତି-ଯଶ ।
ଅରଣ୍ୟ ସଂସ୍କୃତି ରାଜ୍ୟ ଓ ଦେଶର
ଯେ’ ଆର୍ଥିକ ମେରୁଦଣ୍ଡ,
ସଚ୍ଚା ବନରକ୍ଷୀ କାର୍ଯ୍ୟ ନିର୍ବାହଣେ
ଲବ୍ଧ ସୌଭାଗ୍ଯ ସମ୍ପଦ ।
ସୁଶୋଭିତ ସଂଘ ସଙ୍ଗତରେ ବିଶ୍ବ
ବନ-ଆରକ୍ଷୀ ଦିବସ,
ବନରକ୍ଷୀଗଣ ସମ୍ମାନ ପ୍ରଣମ୍ୟ
ଭାଳେ ଶମ୍ଭୁନାଥ ଦାସ ।