“ଭାରତୀୟ ସେନା ବାହିନୀ ତରଫରୁ ଅନୁଷ୍ଠିତ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିରରେ ପ୍ରଥମ ଦିନରେ ୮୦୦ରୁ ଉର୍ଦ୍ଧ ସ୍ୱାସ୍ଥ୍ୟ ପରୀକ୍ଷା କଲେ”

ବାରିପଦା(କ:ବ୍ଯୁ) ତା. ୦୯-୦୯-୨୦୨୫ ରିଖ.

ଭାରତୀୟ ସେନା ବାହିନୀର ଷ୍ଟେସନ ହେଡ଼ କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ବିବାହ ମଣ୍ଡପ ଠାରେ ଗତକାଲି ଉଦଘାଟିତ ଆଦର୍ଶ ସମନ୍ବିତ ସ୍ୱାସ୍ଥ୍ୟ ଶିବିରରେ ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବୀର ନାରୀ, ବୀର ମାତା, ବିଧବା ପତ୍ନୀ ଓ ପୂର୍ବତନ ସେନା କର୍ମଚାରୀଙ୍କ ପରିବାରର ପାଖାପାଖି ୮୦୦ରୁ ଉର୍ଦ୍ଧ ଲୋକ ଶିବିରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଥିରେ ବିଶେଷ କରି ସ୍ନାୟୁ ରୋଗୀ, ହୃଦ ରୋଗୀ, ଯକୃତ ରୋଗୀ, କିଡ଼ନୀ ରୋଗୀ, ଚର୍ମ ରୋଗୀ, ମାନସିକ ରୋଗୀ ଇତ୍ୟାଦି ମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ହାଇଟେକ ହସ୍ପିଟାଲର ଡାକ୍ତର ଓ ବିଶେଷଜ୍ଞଙ୍କ ପାଖରୁ ଡାକ୍ତରୀ ପରାମର୍ଶ ନେବା ସହିତ ମାଗଣାରେ ଔଷଧ ପାଇଛନ୍ତି। ତତ ସହିତ ଅବସରକାଳୀନ ଭତ୍ତା ମଞ୍ଜୁରୀ, ସ୍ପର୍ଶ, ଇସିଏଚଏସ ସମ୍ପର୍କିତ ଆଇନଗତ ପରାମର୍ଶ ଗ୍ରହଣ କରିଛନ୍ତି। ଆଜି ଦ୍ଵିତୀୟ ଦିନରେ ମଧ୍ୟ ୧୦୦୦ ରୁ ଉର୍ଦ୍ଧ ଶିବିରକୁ ଡାକ୍ତରୀ ପରୀକ୍ଷା ଓ ପରାମର୍ଶ ପାଇଁ ଆସିଛନ୍ତି।ଏଭଳି କ୍ୟାମ୍ପ ବାରିପଦା ଠାରେ ପ୍ରଥମ କରି ଅନୁଷ୍ଠିତ ହେଉଥିବାରୁ ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି।

ପ୍ରକାଶ ଥାଉକି ଗତକାଲି ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ସମ୍ମାନୀୟ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ,ସମ୍ମାନୀୟା ମହାରାଣୀ ଶ୍ରୀମତୀ ରଶ୍ମି ରାଜ୍ୟ ଲକ୍ଷ୍ମୀ ଭଞ୍ଜଦେଓ,ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଡା କୃଷ୍ଣ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ଲିଉଟାଣ୍ଟ ଜେନେରାଲ ପି.ଏସ. ଶେଖାବତ, ପି ଭି ଏସ ଏମ, ଏ ଭି ଏସ ଏମ, ଜିଓସି, ମଧ୍ୟ ପ୍ରଦେଶ ଭାରତ ଅଂଚଳ, ମିସେସ କୁକୀ ବାୱା ଓ ବ୍ରିଗେଡ଼ିଅର ତେଜିନ୍ଦର ସିଂ ବାୱା, କମାଣ୍ଡର ଛାତିଶଗଡ ଓ ଓଡିଶା ସବ ଏରିଆ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତିରକ୍ଷା ବିଭାଗର ପୂର୍ବତନ କର୍ମଚାରୀଙ୍କ ବ୍ୟତୀତ ଉକ୍ତ ଶିବିରରେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା ଉପଲବ୍ଧ ହେବ ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ଏହା ଚାଲିବ ବୋଲି ପ୍ରତିରକ୍ଷା ବିଭାଗର ଷ୍ଟେସନ ହେଡ଼କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ର ପ୍ରଶାସନିକ କମାଣ୍ଡେଣ୍ଟ ସନ୍ତୋଷ କୁମାର ପଣ୍ଡା ଜଣାଇବା ସହିତ ଏହାର ବହୁଳ ସୁଯୋଗ ନେବା ପାଇଁ ଅନୁରୋଧ କରିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *