
ଉଦଳା : (କ:ବ୍ଯୁ) ତା-୩୧/୦୮ – ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ- ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ପ୍ରାତଃ ୫ ଘଟିକା ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏନ୍.ଏ.ସି. ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପରିବେଷଣ କରାଯାଇଥିଲା । ତତ୍ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଭାତଫେରୀ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଧ୍ୱନି ମାନ ଦେଇ ଥାନା ଛକ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ନିକଟରେ ଏକତ୍ରିତ ହେବା ପରେ ସକାଳ ଘ.୭.୩୦ ମି. ସମୟରେ ଛାତ୍ରଛାତ୍ରୀଙ୍କ ଗହଣରେ ଏନ୍.ଏ.ସି. ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ୱାର୍ଡ କାଉନସିଲର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ତଥା ଧୂପ, ଦୀପ ଅର୍ପଣ କରିବା ପରେ ମଧୁବାବୁ, ବୀର ବିର୍ସାମୁଣ୍ଡା ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଆଦି କରାଯାଇଥିଲା । ତତ୍ ପରେ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ଏନ୍.ଏ.ସି. କାର୍ଯ୍ୟାଳୟରେ ପହଞ୍ôଚବା ପରେ ସକାଳ ଘ.୮.୩୦ ମି. ସମୟରେ ଅଧ୍ୟକ୍ଷା ମହୋଦୟଙ୍କ ଦ୍ୱାରା ଜତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମାପନ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ଜଳଖିଆ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ୱାର୍ଡ ନଂ-୧ ଉଦଳା ଥାନା ସମ୍ମୁଖ ରାସ୍ତାପାଶ୍ୱର୍ରେ ସମ୍ବିଧାନ ପ୍ରଣେତା ଡ଼ା. ଇି.ଆର. ଆମ୍ବେଦକରଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତୀର ଶୁଭ ଉଦ୍ଘାଟନ, ୧୦ ନଂ ୱାର୍ଡ ଉଦଳା ଥାନା ପରିସରରେ ନବନିର୍ମିତ ଜିମ୍ର ଉଦ୍ଘାଟନ ସହିତ ୱାର୍ଡ ନଂ-୯ରେ ନିର୍ମିତ ହେବାକୁ ଥିବା ସ୍ମାର୍ଟ ସ୍ମଶାନର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଥିଲା । ତତ୍ପରେ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବା ପରେ ସନ୍ଧାନଗୃହ ଉଦଳା ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏନ୍.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଟାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକ ସଭା ସାଂସଦ ନବଚରଣ ମାଝୀ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଦେଶର ଶାସନ ଅଛି, ରାଜ୍ୟର ଶାସନ ଅଛି କିନ୍ତୁ ସ୍ୱାୟତ୍ତ ଶାସନ କ’ଣ ? ଉଦଳାର ୧୨ ଟି ୱାର୍ଡର ସମସ୍ୟାର ସମାଧାନ ତଥା କ୍ଷମତା ବିକେନ୍ଦ୍ରୀକରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଶତପ୍ରତିଶତ ସମାଧାନ ନହେଲେ ମଧ୍ୟ ଉଦଳାର ପରିବର୍ତ୍ତନ ହୋଇଛି । ଅନ୍ୟାନ୍ୟ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡ଼ି.ଏ. ନରେନ୍ଦ୍ର ଖମାରୀ, ତହସିଲଦାର ଉଦଳା ସୁପ୍ରଭା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଓକିଲ ସଂଘ ସମ୍ପାଦକ ବସନ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସ ବାବଦରେ ବହୁ ସାରଗର୍ଭକ ବକ୍ତବ୍ୟ ମାନ ରଖିଥିଲେ । ବୈଠକର ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ, ଧୂପ ଅର୍ପଣ କରାଯିବା ପରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦଳାର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟ ରଂଜନ ଜେନା ବାର୍ଷିକ ବିବରଣୀ ପଠନ କରିଥିଲେ । ତତ୍ସହିତ ନୂତନ ଭାବେ ଅନୁମୋଦିତ ଭିନ୍ନକ୍ଷମ ଏବଂ ବିଧବା ଭତ୍ତା ପ୍ରଦାନ କରାଯିବା ସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ରମାକାନ୍ତ ମୁଖିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଦିବା ଘ.୧୨.୦୫ ମି. ସମୟରେ ସନ୍ଧାନଗୃହ ପରିସରରେ ଆଭାସି ମାଧ୍ୟମରେ ଆୟୋଜିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଉତ୍ସବରେ ମଧ୍ୟ ସମସ୍ତ ଅତିଥି ଉପସ୍ଥିତ ରହିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦଳା ଏନ୍.ଏ.ସି. ପ୍ରିୟ ରଂଜନ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଧନେଶ୍ୱର କିସ୍କୁ ଏବଂ କାର୍ଯ୍ୟାଳୟର କର୍ମଚାରୀ ସଞ୍ଜୟ ପାଢ଼ୀ, ସରୋଜ ପାଣି, ପ୍ରିତୀଶ ଜେନା, ଯତୀନ୍ଦ୍ର ବେହେରା, ଦାସରଥି ପରିଡ଼ା, ସଂଗ୍ରାମ ସାହୁ ଏବଂ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)