ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ଜାତୀୟ କ୍ରୀଡ଼ା ଦିବସ-୨୦୨୫’ ପାଳନ

ବାରିପଦା (କବ୍ଯୁ) ତା୨୯-୦୮:୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଭାରତର ମହାନ କ୍ରୀଡ଼ାବିତ୍‌ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ୨୯ ଅଗଷ୍ଟ ୨୦୨୫ରେ ଜାତୀୟ କ୍ରୀଡ଼ା ଦିବସ ୨୦୨୫ ବହୁତ ଉତ୍ସାହ ଓ ଦେଶପ୍ରେମ ଭାବନା ସହିତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । ନିଜ ଅଭିଭାଷଣରେ ପ୍ରଫେସର ବାରିକ ମେଜର ଧ୍ୟାନ ଚାନ୍ଦଙ୍କର ହକି କ୍ଷେତ୍ରରେ ଅସାଧାରଣ ସଫଳତାକୁ ଉଲ୍ଲେଖ କରି ଭାରତର ଆନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ତାଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିୟମିତ କ୍ରୀଡ଼ାରେ ଅଂଶଗ୍ରହଣ କରି ଶାରୀରିକ ସୁସ୍ଥତା ବଜାୟ ରଖିବା, ମାନସିକ ସ୍ୱାସ୍ଥ୍ୟ ବୃଦ୍ଧି କରିବା ଏବଂ ଶୃଙ୍ଖଳା ଓ ଦଳଗତ କାର୍ଯ୍ୟ ଭଳି ଗୁଣଗୁଡ଼ିକୁ ବିକଶିତ କରିବାକୁ ଉତ୍ସାହିତ କରିଥିଲେ । ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓ ଏହାପରେ ସ୍ନାତକୋତ୍ତର ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ପ୍ରଫେସର ବିଶ୍ୱଜିତ ରଥଙ୍କ ଦ୍ୱାରା ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ କ୍ରୀଡ଼ା ମନୋଭାବ ଓ ଶାରୀରିକ ସୁସ୍ଥତାର ମୂଲ୍ୟବୋଧକୁ ଅନୁପାଳନ କରିବାକୁ ଶପଥପାଠ କରାଯାଇଥିଲା । ଏହି ଅଧିବେଶନ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା । ସମସ୍ତଙ୍କୁ ପ୍ରତିଦିନ ଅତି କମରେ ଏକ ଘଣ୍ଟା ଶାରୀରିକ କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରିବା ପାଇଁ “#ଏକ ଘଣ୍ଟା ଖେଲ୍‌ କେ ମୈଦାନ ମେ” ନାମକ ପ୍ରେରଣାଦାୟୀ ଟ୍ୟାଗଲାଇନ ମାଧ୍ୟମରେ ଏହି ମ୍ୟାଗ ଅନୁଷ୍ଠିତ ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ଡ. ଶୁଭେନ୍ଦୁ କୁମାର ଶତପଥି, ପିଇଟି ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ଜିମ୍‌ ପ୍ରଶିକ୍ଷକ ଗିରିଶଚନ୍ଦ୍ର ପାରିମାଣିକ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *