



ରାୟଗଡ଼ା-(ଅଜୟ ରଥ)-ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆଦିବାସୀ ସଂଗଠନ ମାନଙ୍କ ଦ୍ବାରା ବିଶ୍ବ ଆଦିବାସୀ ଦିବସ ବଡ଼ ଧୁମଧାମ୍ ରେ ପାଳିତ ହୋଇଯାଇଛି। ଗୁଣୁପୁର ଟାଉନ ହଲ ଠାରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ଆଦିବାସୀ ମହିଳା ନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ନିଆରା ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଞ୍ଚ ପ୍ରସ୍ତୁତ ହୋଇଥିଲା ସତ କିନ୍ତୁ ଅତିଥୀଙ୍କ ପାଇଁ ମଞ୍ଚର ବସିବାର ବ୍ୟବସ୍ଥା ନଥିଲା ଯାହାକି ସମସ୍ତଙ୍କୁ ଚକିତ କରିଥିଲା। କାରଣ ଆଦିବାସୀ ସମ୍ପ୍ରଦାୟରେ ଛୋଟ,ବଡ଼ ବାଛ ବିଚାର ନାଥାଏ। ପ୍ରତ୍ୟକ ଆଦିବାସୀ ଜଣେ ଜଣେ ଶ୍ରେଷ୍ଠ। ଏଭଳି ମନ ଭାବ ରଖି ମଞ୍ଚ ତଳେ ସମସ୍ତ ଉପସ୍ଥିତ ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ଆସନର ବ୍ୟବସ୍ଥା ହୋଇଥିଲା। ବିଶ୍ୱ ଆଦିବାସୀ ଦିବସ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସମାଜକୁ ଦେଇ ଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି। ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ। ଗୁଣୁପୁର ସ୍ଥିତ ପୌର ପରିଷଦ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଆଦିବାସୀ ମହିଳା ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକାଙ୍କ ଆଦିବାସୀଙ୍କ ସାମାଜିକ ଓ ଶିକ୍ଷା କ୍ଷେତ୍ରର ଉନ୍ନତି ସକାଶେ ତାଙ୍କରି ଅବଦାନ ଅନନ୍ୟ। ଏହି ଅବସରରେ ସେ ଆଦିବାସୀଙ୍କ ଜୀବନଯାପନ ଶୈଳୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ବିଲୁପ୍ତ ହେବାକୁ ଥିବା ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ଉପଦେଶ ବାଢ଼ିଥିଲେ। ଏହି ଅବସରରେ ଶ୍ରୀମତୀ ହୁଇକା ଆଦିବାସୀକୁଳ ସମାଜରେ ବସବାସ କରୁଥିବା ସମସ୍ତ ଧର୍ମ ତଥା ସମ୍ପ୍ରଦାୟକୁ ସମ୍ମାନ ଦେବା ସହ ନିଜର ବିନମ୍ର ଓ ସରଳ ଭାବମୂର୍ତ୍ତି ପାଇଁ ସର୍ବଦା ପରିଚିତ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନ ସମାଜରେ ଆଦିବାସୀ ସଂପ୍ରଦାୟର ଜନଜାତି ଆଜି ସମାଜରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି । ଏହି ଅବସରରେ ଜିଲ୍ଲାର ପ୍ରତିଟି ବ୍ଳକର ବହୁ ଆଦିବାସୀ ନେତା ତଥା ବୁଦ୍ଧିଜିବୀ ଓ ସମାଜସେବୀ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସହ ସଫଳତା ବିଷୟକୁ ନେଇ ଉପସ୍ଥାପନ କରିଥିଲେ। ଏହା ସହ ଆଦିବାସୀ ପରମ୍ପରା ଓ ସଂସ୍କୃତିର ନୃତ୍ୟ, ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ। ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ ତା, ଆଦିବାସି ମହିଳା ନେତ୍ରୀ ତଥା ସମିତି ସଭ୍ୟା ସେଲେନି ଗମାଙ୍ଗ , ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମରିକା, ଇସମାଇଲ ଶବର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶା ଆଦିବାସୀ ମଞ୍ଚ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଡୁଢାଲଙ୍କୁ ଆଦିବାସୀଙ୍କ ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ସହଯୋଗ କରିବା ନେଇ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରିଥିଲେ।