


ରାୟଗଡ଼ା-(ଅଜୟ ରଥ)ଉଚ୍ଚ ଶିକ୍ଷା, ଖେଳ, ଯୁବ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ରାୟଗଡ଼ା ଗସ୍ତ ସମୟରେ ରାୟଗଡ଼ା ନାଗରିକ ମଞ୍ଚର ପ୍ରତିନିଧିଗଣ ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଜିଲ୍ଲାର ଖେଳ, ଉଚ୍ଚଶିକ୍ଷା ଓ ସଂସ୍କୃତିର ଉନ୍ନତି ପାଇଁ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି।ଖେଳର ଉନ୍ନତି ପାଇଁ ରାୟଗଡ଼ା ସହର ଉପକଣ୍ଠରେ ଏକ ଆଉଟଡୋର ଷ୍ଟାଡିୟମ୍ ତୁରନ୍ତ ନିର୍ମାଣ, ରାୟଗଡ଼ାରେ ରାଜ୍ୟ ସ୍ତରୀୟ କ୍ରିକେଟ ସହ ଖେଳ ଷ୍ଟାଡିୟମ୍ ନିର୍ମାଣ
ରାୟଗଡ଼ା ଓ ଗୁଣୁପୁର ସଦର ମହକୁମାରେ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ, ଜିଲ୍ଲାରେ ପାରା ସ୍ପୋର୍ଟସ ପାଇଁ ବିଶେଷ ପ୍ରୋତ୍ସାହନ, ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ଆର୍ଥିକ ଅନୁଦାନ ଓ ଉପକରଣ ଦେଇ ପ୍ରୋତ୍ସାହନ, ନୂତନ ଖେଳାଳିଙ୍କୁ ଚୟନ ଓ ପ୍ରୋତ୍ସାହନ, ବଡ଼ନାଳ ଡ୍ୟାମ ନିକଟରେ ଏକ ସନ୍ତରଣ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଏବଂ ସିଲିଟିଗୁଡା ଡ୍ୟାମ ଠାରେ ଏକ କାୟାକ ଡଙ୍ଗା ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ, ବିଷମକଟକ ବ୍ଲକର ଚାଟିକଣାଠାରେ ଏକ ତୀରନ୍ଦାଜି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ଅନୁରୋଧ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ଘୋଷଣା ଓ ଏହାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ, ଗୁଣୁପୁର ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ମହାବିଦ୍ୟାଳୟ ଗୁଡିକର ଏନ ସି ସି କୁ ଶସକ୍ତ କରିବା ପାଇଁ ପ୍ରଭୂତ ଅନୁଦାନର ବ୍ୟବସ୍ଥା, ଅମଲାଭଟାରେ ନିର୍ମିତ ବିଇଡ଼ି କଲେଜକୁ ତୁରନ୍ତ ଚାଲୁ କରିବା,ରାୟଗଡ଼ା ଓ ଗୁଣୁପୁର ସଦର ମହକୁମାରେ ତୁରନ୍ତ ଗୋଟିଏ ଲେଖାଏ ଆଦିବାସୀ ମହାବିଦ୍ୟାଳୟ ସ୍ଥାପନ,ମୁନିଗୁଡା ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ,ପୁରୁଣା ରାୟଗଡା ସହରରେ ଏକ ମହାବିଦ୍ୟାଳୟ ରାୟଗଡାରେ ଏକ ଲୋ କଲେଜ ସ୍ଥାପନ, ଇତ୍ୟାଦି ପାଇଁ କୁହାଯାଇଛି ।ସଂସ୍କୃତିର ଉତ୍ଥାନ ପାଇଁ କଳାକାରମାନଙ୍କୁ ପ୍ରୋତ୍ସାହନ ଭତ୍ତା ଓ ଯନ୍ତ୍ରପାତି/ଆସବାବପତ୍ର/ଉପକରଣ ପ୍ରଦାନ, କଳାକାର ସଂଘ(ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଓ ପାରମ୍ପାରିକ)ମାନଙ୍କୁ ଅନୁଦାନ ପ୍ରଦାନ, ଜିଲ୍ଲା ସଂସ୍କୃତି ପରିଷଦର ପୁନର୍ଗଠନ ଭଳି ପ୍ରସ୍ତାବ ମାନ ଆଗତ କରାଯାଇଛି । ମନ୍ତ୍ରୀ ଏହିସବୁ ପ୍ରସ୍ତାବ ଗୁଡ଼ିକୁ ସହୃଦୟତାର ସହ ଗ୍ରହଣ କରିଥିବାରୁ ନାଗରିକ ମଞ୍ଚ ତରଫରୁ ମଞ୍ଚର ସଭାପତି ଡ଼ଃ ବାଦଲ ତା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରଇଛନ୍ତି।