“ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ରାଜସ୍ୱ ସେବା ଅଧିକାରୀ ସଂଘର ଜରୁରୀ ବୈଠକ ଅନୁଷ୍ଠିତ”

ବାରିପଦା(କ:ବ୍ଯୁ)ତା ୦୧-୦୭-୨୦୨୫ ରିଖ
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ତଥା ଜିଲ୍ଲା ସଙ୍ଘ ସଭାପତି ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଓ ରାଜସ୍ବ ସେବା ଅଧିକାରୀ ସଂଘ, ମୟୂରଭଞ୍ଜ ଶାଖାର ଏକ ଜରୁରୀ ବୈଠକି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ନଗର ନିଗମରେ କାର୍ଯ୍ୟରତ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ତଥା ଜିଲ୍ଲାର କୁଳିଅଣା ତହସିଲଦାର ଶ୍ରୀ ଦୁର୍ଗା ଚରଣ ମୂର୍ମୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ତୀବ୍ର ନିନ୍ଦା କରିବା ସହ ଏଯାବତ୍ କୌଣସି ଆଖିଦୃଶଆ ପଦକ୍ଷେପ ନିଆଯାଇ ନଥିବାରୁ ତୁରନ୍ତ ସାମୁହିକ ଛୁଟିରେ ଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଏବଂ ଏ ସମ୍ପର୍କିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୋୟଙ୍କୁ ପ୍ରଦାନ କରାଯାଇଛି। ଦିନକୁ ଦିନ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। ବିଭିନ୍ନ ପଦାଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଆକ୍ରମଣକାରୀମାନେ ନିର୍ଦ୍ଵନ୍ଦରେ ବୁଲୁଛନ୍ତି। ଏସବୁ ନେଇ ଆଜି ବିଶଦ ଆଲୋଚନା ହୋଇଥିଲା ଏବଂ ଖାଲି ମୟୂରଭଞ୍ଜ ନୁହେଁ, ସାରା ରାଜ୍ୟର ଜିଲ୍ଲା ସଂଘ ଗୁଡିକ ସାମୁହିକ ଛୁଟିରେ ଆଜିଠାରୁ ଗଲେ। ପ୍ରଶାସନିକ ସେବା ଓ ରାଜସ୍ବ ସେବା ସଂଘ ବ୍ୟତିରେକ ଭାରତୀୟ ପ୍ରଶାସନିକ ସେବା ସଂଘ, ଯନ୍ତ୍ରୀ ସଂଘ, ରାଜସ୍ବ ନୀରିକ୍ଷକ ସଂଘ, ଅମଲା ସଂଘ ପକ୍ଷରୁ ସହଯୋଗର ହାତ ବଢାଇଛନ୍ତି ସେମାନେ ମଧ୍ୟ ଖୁବଶିଘ୍ର ସାମୁହିକ ଛୁଟିରେ ଯିବାକୁ ପ୍ରସ୍ତାବ ରଖିଛନ୍ତି। ସ୍ଥାୟୀ ସମାଧାନ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ଅନୁଷ୍ଠିତ ବୈଠକରେ ସଂଘର ସମ୍ପାଦକ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ଵର ଚନ୍ଦ୍ର ନାଏକଙ୍କ ସମେତ ଶହେରୁ ଉର୍ଦ୍ଧ ପଦାଧିକାରୀ ଯୋଗ ଦେଇଥିଲେ। ଏହି ସମୟରେ ଅଫିସ ନ ଯିବା ସହ କୌଣସି ଅନଲାଇନ କାମ ନକରିବାକୁ ମଧ୍ୟ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଦୀନବନ୍ଧୁବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *