
ଚଣ୍ଡିଖୋଲ ୧୬/୬(କ ଵ୍ୟୁ)
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ନିଟ୍-ୟୁଜି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୧୯ ରାଙ୍କ୍ ରଖି ଏବେ ଦେଶର ଯେକୌଣସି ବି ସରକାରୀ ମେଡ଼ିକାଲ କଲେଜରେ ଡାକ୍ତରୀ ପଢ଼ିବାକୁ ନିଜର ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ୨୦ ବର୍ଷୀୟ ଅଭିଷେକ ପଣ୍ଡା । ଗୃହିଣୀ ଭାନୁ ପ୍ରଜ୍ଞା ପଣ୍ଡା ଏବଂ ମହାବିନାୟକ ମନ୍ଦିରର ପୂଜକ ରତ୍ନାକର ପଣ୍ଡାଙ୍କ ଏକମାତ୍ର ପୁତ୍ର ଅଭିଷେକ ନିଜର ତୃତୀୟ ଉଦ୍ୟମରେ ହିଁ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ରହି ଆସିଥିବା ବେଳେ ସେ ଏହି ପରୀକ୍ଷାରେ ମୋଟ ୭୨୦ ନମ୍ବରରୁ ୬୩୧ ନମ୍ବର ରଖି କୃତକାର୍ଯ୍ୟ ହୋଇ ପାରିଛନ୍ତି । ଅଭିଷେକଙ୍କ ଏହି ସଫଳତା ଅଞ୍ଚଳବାସୀଙ୍କ ପାଇଁ ବେଶ ଗୌରବ ଆଣିଥିବାରୁ ଏବେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।