
ପୁରୀ: (ବଳରାମ ତ୍ରିପାଠି ରିପୋର୍ଟ ) :ପୁରୀରେ ପୁଣି ଲଜ୍ଜା । ୧୪ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ବଳିଆପଣ୍ଡାରେ ଥିବା ଏକ ହୋଟେଲରେ ଘଟିଛି ଏଭଳି ଅବାଭନୀୟ ଘଟଣା l ୩ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗକୁ ଆଧାର କରି ସମୁଦ୍ରକୁଳ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ବାଲିନୋଳିଆ ସାହିର ଲେଙ୍କା ସୁନୀଲ ବେହେରା, ଗୌଡ଼ବାଡ ସାହିର ଏଲ୍ ରାଜା ବେହେରା ଏବଂ ଗୌରାଙ୍ଗ ବେହେରା । ୩ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରିଥିବାବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ।
ପୋଲିସ ସୂଚନା ଅନୁଯାୟୀ ଗତ ୭ ତାରିଖ ସନ୍ଧ୍ୟା ସମୟରେ ନାବାଳିକା ଜଣକ ପରିବାର ଲୋକଙ୍କୁ କିଛି ନଜଣାଇ ଘରୁ କେଉଁଆଡେ ପଳାଇଥିଲେ । ଅଭିଯୁକ୍ତ ଲେଙ୍କା ମୋହନ ବେହେରା ନାବାଳିକାକୁ ଖାଦ୍ୟ ଦେବା ବାହାନାରେ ଏକ ହୋଟେଲକୁ ନେଇ ସେଠାରେ ୩ଦିନ ଧରି ୨ଜଣ ସାଙ୍ଗଙ୍କ ସହ ଦୁଷ୍କର୍ମ କରିଥିଲା । ୯ ତାରିଖ ସଂଧ୍ୟାରେ ଅଭିଯୁକ୍ତମାନେ ନାବାଳିକାକୁ ଗାନ୍ଧୀ ପାର୍କ ଠାରେ ଛାଡି ଦେଇଥିଲେ । ସମୁଦ୍ର କୂଳ ଥାନାରେ ନାବାଳିକା ପରିବାର ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ନାବାଳିକାର ବୟାନ ସ୍ୱତନ୍ତ୍ର ପୋସ୍କୋ କୋର୍ଟରେ ରେକର୍ଡ କରାଯାଇଛି । ଆସନ୍ତାକାଲି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସୁଥିବାବେଳେ ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ କ୍ଷେତ୍ରରେ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ଘଟଣା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।