( କବି ଶ୍ରୀ ଶମ୍ଭୁନାଥ ଦାସ, ଯାଜପୁର )~~
ଧେତ୍…. ବରଷା ପାଗରେ ଭୋଜିଭାତ
କରିବାକୁ ଭାରି ଦହଗଞ୍ଜ
ତଳେ ଗନ୍ଧିପୋକ ତ
ଉପରେ ଝରିପୋକର ଦୌରାତ୍ମ୍ଯ !
ପତ୍ନୀ ଆଉ ମୁଁ ମିଶି
ହାତରେ କିରୋସିନି ବୋତଲ ଧରି
ଗନ୍ଧିପୋକଙ୍କ ଗାତରେ ଢାଳିଲୁ
ଗାତ ମୁହଁରେ ବାଲି ଭର୍ତ୍ତିକଲୁ,
ସାନଝିଅ ଡାକ ପକେଇଲା
କ୍ଷୀର ଉତୁରିଲାଣି ବୋଲି
ପତ୍ନୀ ଦୌଡ଼ୁ ଦୌଡ଼ୁ ଝୁଣ୍ଟିପଡ଼ିଲା
ଛେଳି ଖୁଣ୍ଟରେ ….!
ଆଉ କିଏ ଦୌଡୁଥିଲା କି (?)
ଓ’ ବାଦଲ !
ଦୌଡ଼ୁଥାଉ, ଓଦାମାଟିକୁ ଆଉ
କି ଓଦା କରିବ ସିଏ (?)
ଗନ୍ଧିପୋକ ଉଠେଇବ
ଝରିପୋକ ଉଡ଼େଇବ, ହଉ…. !
ମଧ୍ୟାହ୍ନ ପରେ ପୁଅ ସ୍କୁଲରୁ ଫେରିଆସି
କହିଲା — ଆଜି ଅଧା ଛୁଟି,
ବର୍ଷାବେଳେ ସ୍କୁଲ ଚାଳରୁ ମେଞ୍ଚେ
ଝରିପୋକ ଗୁରୁଜୀଙ୍କ ମୁଣ୍ଡରେ ପଡ଼ିଲା
ବେଶି ବର୍ଷା ହେବ କି କ’ଣ (?)
ଗୁରୁଜୀ ଛୁଟି କରିଦେଲେ …. !
ସଂଧ୍ୟା ହେଲା, ବଲ୍ ବ ଜଳିଲା
ସାନ ଭାଇ-ଭଉଣୀ ମୋର
ଅଅଁଳାକୋଳି ଡାଳ ଭାଙ୍ଗି
ଟାଙ୍ଗିଦେଲେ ଜଳନ୍ତା ବଲ୍ ବ ପାଖରେ
ରୋକିବାକୁ ଝରିପୋକଙ୍କ ଦୌରାତ୍ମ୍ଯ,
କିନ୍ତୁ କିଛି ବି ଫଳ ମିଳିଲା ନାହିଁ
ଅଗତ୍ୟା ଅନ୍ଧକାର କରିବାକୁ
ମୁରବିଙ୍କ କଥା ମାନିବାକୁ ହେଲା,
ସବୁ ବଲ୍ ବ ଲିଭେଇ, ଅଣ୍ଡାଳି ଅଣ୍ଡାଳି
ଘର-ଦୁଆର – ଖନ୍ଦାଶାଳକୁ ଯାଉ ଯାଉ
ଦି’ଗଣ୍ଡା କାଳିଆ ଭାଲୁଆ କାମୁଡ଼ା କାମୁଡ଼ି
ହେଉଥିଲେ ଭଣ୍ଡାରର ଭାଗବାଣ୍ଟ ପାଇଁ
ପତ୍ନୀ ମୋର ଛୋଟେଇ ଛୋଟେଇ
ଦୌଡ଼ିଗଲା ଯେ, କାଳିଆ କି ଭାଲୁଆ
କିଏ କାମୁଡ଼ି ଦେଲା କେଜାଣି,
ଚିତ୍କାର ଶୁଣି ସାନଭାଇ ମୋ’ର
ଡାକିଆଣିଲା ଆମ୍ବୁଲାନ୍ସ ଗାଡ଼ି ….!■