
ସୃଷ୍ଟିକର୍ତ୍ତା’ଙ୍କର ସୁନ୍ଦର ସୃଜନେ
ବିଚିତ୍ର ଜୀବଜଗତ,
ଜୈବ ବିବିଧତା ପ୍ରାଣୀ ଓ ଉଦ୍ଭିଦ
ସନ୍ତୁଳନେ ଆତଯାତ ।
ଲକ୍ଷାଧିକ ବୃକ୍ଷ – ଲତା ସହ ପ୍ରାଣୀ
ଜଳେ-ସ୍ଥଳେ ବିଚରଣ,
ଲକ୍ଷାଧିକ ପଶୁ – ପକ୍ଷୀ ଓ ପତଙ୍ଗ
ସରୀସୃପ ବିଦ୍ଯମାନ ।
ଭୌତିକ ଭୂଗୋଳ ହେଉ ଅବା ସୃଷ୍ଟି
ପରମେଶ୍ବରଙ୍କ ଦାନ,
ଏ ମହୀମଣ୍ଡଳ ଅତୀବ ସୌନ୍ଦର୍ଯ୍ୟ
ଚିତ୍ର-ବିଚିତ୍ର ରଙ୍ଗୀନ ।
ହିଂସ୍ରକ ବିଷାକ୍ତ କେ’ ଗୃହପାଳିତ
ସକଳେ ଯେଣୁ ଜୀବନ,
ମାନବୀୟ ଧର୍ମ ସଭିଁଙ୍କ ସୁରକ୍ଷା
ସଚେତ ସମବେଦନ ।
ସର୍ବ ପଶୁ-ପକ୍ଷୀ ସମ୍ପଦ ପ୍ରତିମ
ଗୋମାତା ବକ୍ଷେ ଅମୃତ,
ଚିତ୍ତ ବିନୋଦକ କୋକିଳ ସଂଗୀତ
ମୟୂର-ମୟୂରୀ ନୃତ୍ଯ ।
ବିଜ୍ଞାନ କୌଶଳ କୃତ୍ରିମତା ମଧ୍ଯେ
ସର୍ବ ଜୀବ ସଂରକ୍ଷଣ,
ଚିଡ଼ିଆଖାନା କି ଜଙ୍ଗଲ ଉଦ୍ଯାନେ
ପଶୁ-ପକ୍ଷୀ ବିହରଣ ।
ସର୍ବ ପ୍ରାଣୀ ସଙ୍ଗେ ଶ୍ରଦ୍ଧା-ଅନୁକମ୍ପା
ଐଶ୍ବରୀୟ ଆବାହନ,
କାର୍ତ୍ତିକେୟଙ୍କର ମୟୂର ବାହନ
ମୂଷା ଗଣେଶ ବାହନ ।
ମହାଦେବ କଣ୍ଠେ ନାଗସର୍ପ ଶୋଭେ
ପେଚକ ଲକ୍ଷ୍ମୀ ବାହନ,
ମର୍ମ ଧର୍ମ କର୍ମ ଏମନ୍ତ ନିର୍ଯାସ
ସକଳ ପ୍ରାଣୀ ଶୋଭନ ।
ମୃଗ-ନାଭି ମଧ୍ଯେ ସୁଗନ୍ଧ କସ୍ତୁରୀ
ଶାମୁକା ଗର୍ଭରେ ରତ୍ନ,
ଜୈବ ବିବିଧତା ପ୍ରତୀକ ପ୍ରଜ୍ଞାନ
ଜନ କର୍ତ୍ତବ୍ଯ ସୁଯତ୍ନ ।
ଅନ୍ତର୍-ଜାତୀୟ ଜୈବ ବିବିଧତା
ଦିବସ ଶୁଭ ପ୍ରକାଶ,
ମେ’ ମାସ ବାଇଶ ପ୍ରଣୀତ ସଂଜ୍ଞାନ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା