ଶୁଭ ଶୁକ୍ରବାର

ମେରୀ ଯୋସେଫଙ୍କ ରୋମୀୟ ସନ୍ତାନ
ଆହେ ପ୍ରଭୁ ଯୀଶୁଖ୍ରୀଷ୍ଟ,
ପାପ ଅତ୍ଯାଚାର ବିନାଶେ ତୁମେ ଯେ’
ମେଣ୍ଢାଶାଳେ ଆବିର୍ଭୁତ ।

ସତ୍ଯ ଶାନ୍ତି ଦୟା କ୍ଷମା ଅହିଂସାର
ତୁମେ ହିଁ ମାର୍ଗଦର୍ଶକ,
ତବ ପ୍ରେମାମୃତ ସହ୍ଯ ନ କରିଲେ
କ୍ରୋଧୀ ରୋମୀୟ ଶାସକ ।

ଯୁବ ବୟସରେ ଯନ୍ତ୍ରଣା ବରଣ
ଅସହ୍ଯ ଯେ’ କ୍ରୁଶବିଦ୍ଧ,
ତୁମେ ଦେବଦୂତ ସାକ୍ଷାତ ଈଶ୍ୱର
ଜନ ହୃଦୟେ ଆବଦ୍ଧ ।

ଭାବିଦେଲେ ପ୍ରଭୁ ଆଖିରୁ ଲୋତକ
ଝରିପଡ଼େ ବାରମ୍ବାର,
କେମନ୍ତେ ନିର୍ଦ୍ଦୟ ଶାସକ ରଚିଲେ
ରକତରେ ଶୁକ୍ରବାର !

ସେ’ କଳା-ଦିବସ ଆଜି ପରାଭବ
ପବିତ୍ର ଏ ଶୁକ୍ରବାର,
ପ୍ରଭୁ ଯୀଶୁ ନାମେ ଶୁଭ ଶୁକ୍ରବାର
ହୃଦେ ବାସୁ ନିରନ୍ତର ।

ପ୍ରଭୁ ଯୀଶୁ ପାଦେ ପ୍ରାର୍ଥନା ପ୍ରଣତି
ପ୍ରେମ-ପ୍ରୀତି ଶୁଭାଶିଷ,
ଜନଗଣେ ପ୍ରୀତି ଶୁକ୍ରବାର ଗୀତି
ବୋଲେ ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *