ଭଞ୍ଜନଗର : ନକଲି ସୁନା ଚେନ ବନ୍ଧକ ରଖି ଟଙ୍କା ନେଇ ଜଣେ ଠକ ଅଟକ

ଭଞ୍ଜନଗର (ସୁବ୍ରତ କୁମାର ଦାଶ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଢୁଢୁଆ ଗ୍ରାମର କାଳିଆ ସେଠୀ ନାମକ ଯୁବକଙ୍କ ନିକଟରେ ନକଲି ସୁନା ଚେନ ବନ୍ଧା ରଖି ଟଙ୍କା ନେଇଥିବା ଅଭିଯୋଗରେ ସମାପଲୀ ଗ୍ରାମର ତମାଳ ନାଇକ (୫୩) (ସ୍ବାମୀ – ତ୍ରିନାଥ ନାଇକ) ଙ୍କୁ ଭଞ୍ଜନଗର ପୋଲିସ ଅଟକ ରଖିଛି । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସୂଚନା ପ୍ରକାରେ ଗତ ଅପ୍ରେଲ ୧୨ ତାରିଖରେ ଢୁଢୁଆ ଗ୍ରାମର କାଳିଆ ସେଠୀ ନାମକ ଯୁବକ, କେହି ଜଣେ ମହିଳା ତାଙ୍କ ନିକଟରେ ନକଲି ସୁନା ଚେନ ବନ୍ଧକ ରଖି ପୁଅ ଏବଂ ଝିଅ ର ଚିକିତ୍ସା ର ବାହାନା ଦେଖାଇ ଟଙ୍କା ଉଦ୍ଧାର ନେଇଥିବା ଅଭିଯୋଗ କରିଥିଲେ । ଭଞ୍ଜନଗର ପୋଲିସ କେସ ନଂ ୩୮୭/୨୫ ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ପରେ ମହିଳା ଜଣକ ଭଞ୍ଜନଗର ଥାନା ଅଧୀନ ସମାପଲୀ ଗ୍ରାମର ତମାଳ ନାଇକ (୫୩) (ସ୍ବାମୀ – ତ୍ରିନାଥ ନାଇକ) ବୋଲି ଜଣା ପଡିଥିଲା । ଭାରତୀୟ ନ୍ୟାୟ ସଂହିତା ସେକ୍ସନ ନଂ ୩୧୯(୨), ୩୧୭(୪) ଅଧୀନରେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି । କାଳିଆ ସେଠୀଙ୍କ ପରି ଆହୁରି ଚାରି ଜଣଙ୍କୁ ଏହିପରି ମହିଳା ଜଣଙ୍କ ଠକି ଟଙ୍କା ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୋଗକାରୀ ଙ୍କ ନିକଟରୁ ପୋଲିସ ପାଞ୍ଚଟି ନକଲି ସୁନା ଚେନ ଜବତ କରିଛି । ଏହିପରି ଠକଙ୍କ ଠାରୁ ସାବଧାନ ରହିବାକୁ ଭଞ୍ଜନଗର ଥାନା ଅଧିକାରୀ ପରାମର୍ଶ ଦେବା ସହ ଏହିପରି ଘଟଣା ନଜରକୁ ଆସିଲେ ଭଞ୍ଜନଗର ପୋଲିସ କୁ ଯଥା ଶୀଘ୍ର ଜଣାଇବାକୁ ଜନସାଧାରଣଙ୍କୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *