ପାଦ-ତଳର ଘାସ

ତୁମେ ଦେଇଅଛ ଗୋଲାପକୁ ରଙ୍ଗ
ଚମ୍ପା-ମଲ୍ଲୀକୁ ମହକ,
ତୁମେ ତ ଭରିଛ ଫଳରେ ସୁ-ସ୍ବାଦ
ଶୋଭାରାଜିର କୁହୁକ ।

ପର୍ବତେ ଝରଣା ସମୁଦ୍ରେ ଲହରୀ
ଆକାଶରେ ଇନ୍ଦ୍ରଧନୁ,
ଦିବା-ନିଶି ତବ ଇଙ୍ଗିତେ ଚାଲିଛି
ଶୋଭାକରେ ଚନ୍ଦ୍ରଭାନୁ ।

କୋକିଳକୁ କଣ୍ଠ ମୟୂରେ ମୁକୁଟ
ମାନବକୁ ଦେଲ ହାତ,
ପ୍ରକୃତି ସୁରକ୍ଷା କରି ସମର୍ପଣ
କିମ୍ପାଇ ହେଲ ନିଦ୍ରିତ !

ଆଉ କୁହ ପ୍ରଭୁ କିସ ରଖିଅଛ
ସଜାଡ଼ିବାକୁ ଏ ଦେଶ,
ଅସଜଡ଼ା କିଛି ରଖିଛ କି ପ୍ରଭୁ
ଦେଶ ହେବ କି ବିନାଶ !

ସୃଷ୍ଟିର ସର୍ଜନା କିମ୍ପା ବିଡ଼ମ୍ବନା
କହିବ କି ପ୍ରଭୁ ତୁମେ,
କେଉଁ ପଶୁ-ପକ୍ଷୀ କୁତ୍ସିତ କରୁଛି
ଯନ୍ତ୍ରଣା ଭୋଗୁଛୁ ଆମ୍ଭେ !

ଯାହାର ମୁଖରେ ଫୁଟାଇଛ ହସ
ଦୌଲତ ଦେଇଛ ଭରି,
ଶୋଭାର ଭଣ୍ଡାର କରେ ନଷ୍ଟ-ଭ୍ରଷ୍ଟ
ସାଜି ପ୍ରକୃତିର ଅରି !

ଦରିଦ୍ରକୁ ଲୁହ କିମ୍ପା ଦେଲ କୁହ
ଏହା କେଉଁ ଅନୁପ୍ରାସ,
ତବ ଅଭିଧାନ କିମ୍ପା ଅଗୋଚର
ପ୍ରକୃତିର ଏ ନିର୍ଯାସ !

ଡାକୁଛି ହେ ପ୍ରଭୁ ଉଠି ଦେଖ ସବୁ
ନ ଉଠିଲେ ହେବ ଶେଷ,
ସୃଷ୍ଟିର ସୁନ୍ଦର ସବୁଜ ଗାଲିଚା
ମୁଁ ପାଦ-ତଳର ଘାସ !!

Leave a Reply

Your email address will not be published. Required fields are marked *