
ଚନ୍ଦ୍ରଭାଗା କୂଳେ ଅର୍କକ୍ଷେତ୍ର ନାମେ
ମନ୍ଦିରଟେ ଜୀର୍ଣ୍ଣ-ଶୀର୍ଣ୍ଣ,
ସୂର୍ଯ୍ୟଦେବ ସେହି ମନ୍ଦିରରେ ପୂଜା
ପାଇ ଆସୁଥିଲେ ଜାଣ ।
ସେ’ ମନ୍ଦିର ଗଢ଼ା ସଭିଁଙ୍କୁ ଅଜଣା
ରହିଛି ଯେ’ କିମ୍ବଦନ୍ତୀ,
ତପସ୍ୟାରେ ଶାମ୍ବ ରହିଥିଲେ ଜଳେ
ଲଭିବା ପାଇଁ ମୁକତି ।
ବାର ବାର ବର୍ଷ ଜପ-ତପ କରି
ସୂର୍ଯ୍ୟଙ୍କୁ କଲେ ସନ୍ତୁଷ୍ଟ,
ପିତୃଦେବ ଶାପ ଘଟାଇଣ ଅନ୍ତ
ଶାମ୍ବ ହୋଇଥିଲେ ମୁକ୍ତ ।
ଶାମ୍ବ ଅନୁରୋଧେ ବିଶ୍ବକର୍ମା କାଳେ
ଗଢ଼ିଲେ ସୂର୍ଯ୍ୟ ମନ୍ଦିର,
ଚନ୍ଦ୍ରଭାଗା କୂଳେ ସମୁଦ୍ର କିନାରେ
ପୂଜା ହେଲେ ଦିବାକର ।
ବର୍ଷ ପରେ ବର୍ଷ ହୋଇଛି ବିଗତ
ମନ୍ଦିର ହୋଇଲା ଛିନ୍ନ,
ରାଜା ଗଜପତି ନରସିଂହ ଦେବ
କି’ ବେଳେ କଲେ ଦର୍ଶନ ।
ତହୁଁ ସେହିକାଳେ ରାଜା ଆଦେଶିଲେ
ଉତ୍କଳୀୟ ଶିଳ୍ପୀଗଣେ,
ସୁବିଶାଳ ସୂର୍ଯ୍ୟ କୋଣାର୍କ ମନ୍ଦିର
ଗଢ଼ି ତୋଳ ଏହି ସ୍ଥାନେ !
ବାରଶ’ ବଢ଼େଇ ହୋଇଲେ ନିଯୁକ୍ତ
ମନ୍ଦିର ଗଢ଼ିବା ପାଇଁ,
ବିଶୁ ମହାରଣା ସର୍ଦ୍ଦାର ସାଜିଲେ
କାରିଗର ଧଇଁସଇଁ ।
ପଥର ଉପରେ ପଥର ଗଦେଇ
ତୋଳିଲେ ନୂଆ ମନ୍ଦିର,
ନିହାଣ ମୁନରେ ପାଷାଣ ଖୋଦେଇ
ଆଙ୍କିଲେ ଚିତ୍ର ବିଧିର ।
ବର୍ଷ ପରେ ବର୍ଷ ବାର ବରଷ ଯେ’
ତୋଳା ଚାଲିଲା ମନ୍ଦିର,
ହାତୁଡ଼ିରେ ହାତ ବିଣ୍ଡି ମାରିଗଲା
ଉଚ୍ଛନ୍ନ ହେଲା ସଂସାର ।
କି ସୁନ୍ଦର ମୂର୍ତ୍ତି କଳା-କାରୁକୀର୍ତ୍ତି
ସୁଶୋଭିତ ହାତୀ ଘୋଡ଼ା,
ମନ୍ଦିର ନିର୍ମାଣ ଶେଷ ହେଲା ସିନା
ଲାଗି ପାରୁନାହିଁ ଚୂଡ଼ା ।
ନିର୍ଦ୍ଦେଶିଲେ ରାଜା ମନ୍ଦିରର ଚୂଡ଼ା
ଶିଳ୍ପୀ ହେ ଦିଅ ଲଗାଇ,
ନ ହେଲେ ତୁମ୍ଭର ମଥା ହେବ ଛିନ୍ନ
କଥା ଅନ୍ୟଥା ନୁହଁଇ !
ବିଶୁ ମହାରଣା ପୁତ୍ର ଧର୍ମପଦ
ପହଞ୍ଚିଲେ ସେହି କାଳେ,
ଶିଳ୍ପୀଙ୍କ ମଳିନ ମୁଖ ଦୁଃଖ ଦେଖି
ଚୂଡ଼ା ଲଗାଇଲେ ଭଲେ ।
ଆହାଃ କେଡ଼େ ଲଜ୍ଯା ଦୁଃଖ ଶୋକ କଥା
ଧରମାକୁ ଦେଲେ ମାରି,
କୋଣାର୍କ ମନ୍ଦିର ଧ୍ବଜା ଉଡ଼ାଇଣ
ଶିଳ୍ପୀ ହୋଇଲେ ଚାତୁରୀ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା