ବିଶ୍ବ ଛେନାପୋଡ଼ ଦିବସ

୧୧~ଅପ୍ରେଲ ~~~~
ଅର୍ଦ୍ଧାଧିକ ଜନ ଜୀବନ ପ୍ରବାହ
ବଞ୍ଚିବା ପାଇଁ ଭୋଜନ,
ଅନ୍ଯ ଜନେ ସୁଖ – ଶାନ୍ତି ଉପଭୋଗ
ଖାଇବା ପାଇଁ ଜୀବନ ।

ବଞ୍ଚିବା ହିଁ ଜାଣ ଆଧ୍ୟାତ୍ମିକ ଭାବ
ଖାଇବା ହିଁ ବସ୍ତୁବାଦ,
ମାଂସାଶୀ ବନାମ ଶାକାହାରୀ ଯଥା
ଦାନବ ଦେବ ପ୍ରବାଦ ।

ମିଷ୍ଟାନ୍ନ ପ୍ରସାଦ ଦେବ-ଦେବୀ ଅର୍ଘ୍ୟ
ତା’ ମଧ୍ଯେ ଜନ ସନ୍ତୋଷ,
ସହସ୍ର ମିଷ୍ଟାନ୍ନ ମଧ୍ଯେ ଛେନାପୋଡ଼
ସଭିଁଙ୍କ ମଧ୍ଯେ ସରସ ।

ସୁସ୍ବାଦ ଆହାର ଜନଗଣଙ୍କର
ସର୍ବଦା ପ୍ରିୟ-ଭାଜନ,
ତା’ ମଧ୍ଯେ ମିଷ୍ଟାନ୍ନ ବିଭିନ୍ନ ପ୍ରକାର
ଛେନାପୋଡ଼ ସର୍ବେ ମନ ।

ଛେନାଗଜା ଖଜା ଲଡୁ ରସାବଳି
ଯେତେ ପ୍ରକାର ମିଷ୍ଟାନ୍ନ,
ଛେନାପୋଡ଼ ନାମ ଶ୍ରବଣେ ମାନବ
ଜିହ୍ଵାରୁ ଲାଳ ଝରଣ ।

ଉତ୍କଳ ଜାତୀୟ ମିଠା ରସଗୋଲା
ଶ୍ରୀଲକ୍ଷ୍ମୀ ମାନଭଞ୍ଜନ,
ନୟାଗଡ଼ ଜିଲ୍ଲା ଛେନାପୋଡ଼ ଆହାଃ
ଜନତା ସ୍ବାଦ-ରଞ୍ଜନ ।

ମିଷ୍ଟାନ୍ନ ତିଆରି କାରିଗର ନାମ
ସୁଦର୍ଶନ ସାହୁ ବଡ଼,
ବୁଦ୍ଧି ଖଞ୍ଜି ସୁଜି କ୍ଷୀର-ଛେନା ଚିନି
ପୋଡ଼ି କଲେ ଛେନାପୋଡ଼ ।

ଅପ୍ରେଲ ଏଗାର ଶୁଭ ଜନ୍ମ-ଲଗ୍ନେ
ପରଶିଲେ ଛେନାପୋଡ଼,
ସ୍ବାଦେ ଶାନ୍ତି ଲଭି ଜୟକାରେ ଧ୍ବନି
ବିମୋହନେ ହସ୍ତ-ଯୋଡ଼ ।

ବିଶ୍ବ ଛେନାପୋଡ଼ ଦିବସ ରଞ୍ଜନ
ଖାଇ ଖୁଆଇ ସନ୍ତୋଷ,
ବିଶ୍ବ ଜନଗଣେ ଶୁଭେଚ୍ଛା ଜ୍ଞାପନେ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *